ଭୁବନେଶ୍ବର: ଛଅ ଶହ କୋଟିରୁ ଉର୍ଦ୍ଧ୍ବ ଆର୍ଥିକ ଅନିୟମିତତା । ବରିଷ୍ଠ ପ୍ରଶାସକ ତଥା ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ବ୍ୟାଙ୍କ ପ୍ରଶାସକ ତୁଷାରକାନ୍ତି ପଣ୍ଡାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ । ଏନେଇ ଲୋକୟୁକ୍ତଙ୍କ ପାଖେ ଫେରାଦ ହୋଇଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନ ।
ଓଡିଶା ଲୋକୟୁକ୍ତ ଯାହା ଉପରେ ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ରହିଛି । ୨୦୧୫ ମସିହାରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଏମଆଇସି ବିଷ୍ଣୁପଦ ସେଠୀ ଓ ତତ୍କାଳୀନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡା ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ତେବେ ମୁଖ୍ୟ ପରିଚାଳକ ତୁଷାରକାନ୍ତି ପଣ୍ଡାଙ୍କ ଚାକିରି ଅବଧିକୁ ବାରମ୍ବାର କାହିଁକି ବଢ଼ାଗଲା ସେନେଇ ପ୍ରଶ୍ନ କରିଛି ସୂଚନା ଅଧିକାର ଅଭିଯାନ । ୨୦୧୭ ମସିହାରେ ତତ୍କାଳୀନ ସମବାୟ ମନ୍ତ୍ରୀ ଡ଼ଃ ଦାମୋଦର ରାଉତ ଏ ଘଟଣା ନେଇ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ବିନା ଟେଣ୍ଡରରେ କେଉଁଭଳି ଭାବରେ ହାଇଦ୍ରାବାଦ ଭି ସଫ୍ଟ କମ୍ପାନୀକୁ ଦିଆଗଲା, ମାଡ୍ରାସର ଏକ ଘରୋଇ କମ୍ପାନୀକୁ କାହିଁକି କିଷାନ ରୂପି କାର୍ଡ ଓ ବେଆଇନ ଭାବେ କାହିଁକି ୨୭୦୦ କମ୍ପ୍ୟୁଟର ୪୮ କୋଟି ଟଙ୍କାରେ କିଣାଗଲା ଏନେଇ ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର ଅଭିଯାନ ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ।
ନାବାର୍ଡ ତଥ୍ୟ ଆଧାରରେ ଏହି ଦୁଇ ପ୍ରଶାସକ ବ୍ୟାଙ୍କିଂ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ପ୍ରଧାନ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ