ଭୁବନେଶ୍ବର: ରାଜ୍ୟର ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ଉଠାଣ ହେଉନି। କଟନୀ ଛଟନୀ ନାଁରେ 5ରୁ 7କିଲୋ ଧାନ କଟା ଯାଉଛି । ମଣ୍ଡିରେ ଧାନ ବିକ୍ରି କରିନପାରି ଧାନ ଗଜା ହୋଇଯାଉଛି । ମିଲରଙ୍କ ଉଠାଣ ଉପରେ ଚାଷୀଙ୍କ ଧାନ ଉଠାଣ ନିର୍ଭର କରୁଛି । ଦଳମତ ନିର୍ବିଶେଷରେ ବୁଧବାର ସବୁ ଦଳର ବିଧାୟକମାନେ ପ୍ରଶ୍ନକାଳରେ ଉଦବେଗ୍ ପ୍ରକାଶ କରିଛନ୍ତି ।
ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଇଦେଇଥିଲେ । ସବୁ ଦୋଷ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ଉପରେ ଲଦିଦେଲେ । ଏହି କମିଟିରେ ବିଧାୟକମାନେ ସଦସ୍ୟ ଅଛନ୍ତି । ମଣ୍ଡିକୁ ମିଲରଙ୍କ ଟ୍ରକ୍ ନ ଆସିବା ଯାଏ ଚାଷୀ ସେଠାରେ ଜଗି ରହିବାର କୌଣସି ଆବଶ୍ୟକତା ନାହିଁ। ଯଦି ଚାଷୀ ଭଲ ଧାନ ଆଣିନଥିବ, ସେଥିପାଇଁ ଜଗି ରହୁଥିଲେ ସରକାରଙ୍କର କିଛି କରିବାର ନାହିଁ। ୩୦୮ ବ୍ଲକରେ ପି -ପାସ୍ ଜରିଆରେ ରସିଦ ଓ ଭେଣ୍ଡର କ୍ରୟ ସହ ପ୍ରାପ୍ୟ ଦିଆଯାଉଛି। ୬ ଟି ଵ୍ଲକରେ ଧାନ ଉତ୍ପାଦନ ନଥିବାରୁ ପି -ପାସ୍ ପ୍ରଚଳିତ ହୋଇନି। ଜୁନ୍ ୩୦ ସୁଦ୍ଧା ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ତାରିଖ ଥିବାବେଳେ ସମ୍ଵଲପୁର ଜିଲ୍ଲା ପ୍ରଶାସନ ୧୮ ତାରିଖରୁ କାହିଁକି ବନ୍ଦ କରିଦେଲା ଵୋଲି କ୍ଷୋଭ ଝାଡିଛନ୍ତି ।
ଚଳିତ ୨୦୧୮-୧୯ ଖରିଫ୍ ଋତୁରେ ରାଜ୍ୟ ସରକାର ୫୫ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିଲେ । ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ୬୫.୩୮ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇଛି । ଯାହାକି ଏକ ରେକର୍ଡ । ଏଥିରୁ ୪୪.୩୭ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୨୫ଲକ୍ଷ ମେଟ୍ରିକ୍ ଟନ ଚାଉଳ ପିଡିଏସ୍ ପାଇଁ ବ୍ୟବହାର କରାଯିବ ଓ ବଳକା ଚାଉଳ ଏଫସିଆଇ ମାଧ୍ୟମରେ କେନ୍ଦ୍ରକୁ ଦିଆଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ