ଭୁବନେଶ୍ବର: କୋରୋନା ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏନେଇ ସୋମବାର ରାଜ୍ୟ କ୍ୟାବିନେଟ ମୋହର ମାରିଛି । ରାଜ୍ୟ ସରକାର ମଧ୍ୟ 2ଟି କମିଟି ଘୋଷଣା କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ କଂଗ୍ରେସ ଓ ବିଜେପି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟର ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି, ସେ ଟେଷ୍ଟିଂ ହେଉ କି ଟ୍ରେସିଂ ହେଉ । ଏପରିକି ଟୀକାକରଣରେ ମଧ୍ୟ ଫେଲ୍ ହୋଇଛି ସରକାର ।
ପୂର୍ବରୁ ରାଜ୍ୟ ସରକାର ମେ 1 ରେ ଟିକାଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୮-୪୫ ବର୍ଷ ମଧ୍ୟରେ ଟିକାଦାନ କରିବା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ୯୯ ପ୍ରତିଶତ ଯାଗାରେ ଆରମ୍ଭ ହୋଇନି । ଏହାସହ ଗ୍ଲୋବାଲ ଟେଣ୍ଡର ପୂର୍ବରୁ ଅନେକ ରାଜ୍ୟ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ପୂର୍ବରୁ କୋରୋନା କିଟ୍ ଦୁର୍ନୀତି ହୋଇଥିବା ଖବର ରହିଛି।
ଗ୍ଲୋବାଲ ଟେଣ୍ଡରରେ ଯେଉଁ କମିଟି ଗଠନ ହେଇଛି ସେଥିରେ ଜୁଡିସିଆରୀର ଅଭିଜ୍ଞ ଲୋକଙ୍କୁ ସ୍ଥାନ ଦେଇଥିଲେ ଦୁର୍ନୀତି ହେବାର ଆଶଙ୍କା କମ୍ ରହିଥାନ୍ତା ବୋଲି କହିଛନ୍ତି ପ୍ରଦୀପ୍ତ । ଏହାସହ ଆଶା ରାଜ୍ୟ ସରକାର ତୁରନ୍ତ ଟିକାଦାନ କରିବେ । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଟୀକାକରଣ ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି । ଏହାଦ୍ବାରା ଲୋକେ ଟିକା ପାଇପାରିବେ ବୋଲି ସେ କହିଛନ୍ତି । ଏହାସହ ଏହା ରାଜ୍ୟ ସରକାର ଭଲ ନିଷ୍ପତ୍ତି ବୋଲି ସୁର କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ