ଭୁବନେଶ୍ବର : ଗତକାଲିର ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଥିବା ପୂର୍ବ-ପଶ୍ଚିମ ନିମ୍ନ ଚାପ ରେଖା ଆଜି ପୂର୍ବ- ଉତ୍ତର ପ୍ରଦେଶରୁ ବିହାର ଏବଂ ସବ-ହିମାଳୟ ପଶ୍ଚିମ ବଙ୍ଗ ମଧ୍ୟ ଦେଇ ନାଗାଲାଣ୍ଡ ଯାଏଁ ଲମ୍ବିଛି, ତା ଛଡା ଅନ୍ୟ ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଉତ୍ତର-ପୂର୍ବ ବିହାରରୁ ଉତ୍ତର-ପୂର୍ବ ଝାଡ଼ଖଣ୍ଡ, ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ଲମ୍ବିଛି । ଏହି ପାଣିପାଗର ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସବୁ ଜିଲ୍ଲା ଗୁଡିକ ହେଲା,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଏବଂ କଳାହାଣ୍ଡି । ଏହି ସବୁ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡା, ପୁରୀ, ରାୟଗଡା ଏବଂ ସୁନ୍ଦରଗଡ ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ଜୁନ ପହିଲାରୁ ୪ ଜୁଲାଇ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୨୦୯.୩ ମିମି ବର୍ଷା ଅନୁଭୂତ ହୋଇଛି, ଯାହା ସ୍ବାଭାବିକ ବର୍ଷା ୨୫୬.୧ ମିମି ଠାରୁ ୧୮ ପ୍ରତିଶତ କମ ରହିଛି । ୧ ଜୁନରୁ ୪ ଜୁଲାଇ ମଧ୍ୟରେ ୧୪ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।
ଏହି ସମୟ ପରିଧି ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ୩୦୦.୫ ମିମି ଯାହା ସ୍ବାଭାବିକ ବର୍ଷା ଠାରୁ ୨୧% ଅଧିକ ବର୍ଷା ଅନୁଭୂତ ହୋଇଛି । ସେହିପରି ଅବଶିଷ୍ଟ ୧୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ୫୭ ପ୍ରତିଶତ, ଗଜପତି ୫୩%, ଯାଜପୁର ୪୬% ଏବଂ କେନ୍ଦୁଝର ଜିଲ୍ଲାରେ ୪୫% କମ ବର୍ଷା ରେକର୍ଡ କରାଯାଇଛି । ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବର ଠାରେ ୩୫୪ ମିମି ବର୍ଷା ରେକର୍ଡ କରାଯାଇଛି, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨.୪ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୯.୯ ମିମି ଠାରୁ ୭୬% କମ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭ ଭାରତ