ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତର ଲହରି । ସାଧାରଣତଃ ଓଡ଼ିଶାକୁ ପଶ୍ଚିମାଝଡର ଆଗମନରେ ବଙ୍ଗୋପସାଗରରୁ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବାହିତ ହୋଇଥାଏ। ଯାହାର ପ୍ରଭାବରେ ବାୟୁମଣ୍ଡଳର ସ୍ଥିରତା ଓ କୁହୁଡି ଦେଖାଦେଇଥାଏ।
ଆଜି ଏହି ସ୍ଥିରତା ଅଧିକ ସମୟ ରହିବା ହେତୁ କୁହୁଡିର ଘନତ୍ବ ବୃଦ୍ଧି ପାଇଥିଲା। ତେବେ ଆଜି (ଶୁକ୍ରବାର) ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ଖସିଯାଇଥିଲା । ଅନୁଗୁଳରେ ସର୍ବନିମ୍ନ ଅତି ଘନ କୁହୁଡି ପରିସରଭୁକ୍ତ ୨୦ମିଟର ଦୃଶ୍ୟମାନକୁ ଖସିଯାଇଥିଲା।
ଏହାସହ ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରେ ମଧ୍ୟ ଦେଖାଦେଇଥିଲା। ଆସନ୍ତାକାଲି (ଶନିବାର) ସକାଳେ ଏପରି ସାମାନ୍ୟ ପ୍ରଭାବ ରହିପାରେ । କିନ୍ତୁ ମେଘୁଆ ପାଗ ହେତୁ ବିଶେଷ ରହିନ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି (ଶୁକ୍ରବାର) ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗତ ପଶ୍ଚିମାଝଡ ଠାରୁ ଏହାର ପ୍ରଭାବ କମ୍ ରହିବା ସହ ୨୩ ତାରିଖରେ ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ