ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ଏକ ଘୁର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା, ଶୁକ୍ରବାର ପୂର୍ବାହ୍ନ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ,ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡାରେ ବଜ୍ରପାତ ସହ ବର୍ଷାର ଆଶଙ୍କା ରହିଛି । ଏହି ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମିଳିଥିବା ପାଣିପାଗ ସୂଚନା ଅନୁସାରେ ୬,୭ ରେ ପ୍ରବଳ ବର୍ଷା ହେବାସହ ୭ ,୮ ଓ ୯ ତାରିଖରେ ବର୍ଷାର ପରିମାଣ କ୍ରମାଗତ ବୃଦ୍ଧି ପାଇବ ।
ନବରଙ୍ଗପୁରରେ ସର୍ବାଧିକ ୫୪.୦ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକ ତିହିଡିରେ ୩୯.୦ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଜୁନ ୧ ରୁ ଅଗଷ୍ଟ ୦୫ ପର୍ଯ୍ୟନ୍ତ ମୋଟ ୪୬୯ .୮ ମିମି ମୌସୁମୀ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୬୨୫.୯ ମିମି ଠାରୁ ୨୫ ପ୍ରତିଶତ କମ ବର୍ଷା ହୋଇଛି। ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ଭଦ୍ରକ,ଯାଜପୁର ଓ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ