ଭୁବନେଶ୍ବର: ସାରା ଦେଶରେ କୋରୋନା ମହାମାରୀ ପାଇଁ 60 ଦିନରୁ ଉର୍ଦ୍ଧ୍ବ ସମୟ ଧରି ଲାକଡାଉନ ଜାରି ରହିଛି । ଯାହାକି ଓଡିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଦୋକାନ ବଜାରଠାରୁ ଆରମ୍ଭ କରି ମେଳା ମହୋତ୍ସବ, ମନ୍ଦିର-ମସଜିଦ ଭଳି ଧାର୍ମିକ ଅନୁଷ୍ଠାନ ଓ ଗାଡି ମଟର ଆଦି ବନ୍ଦ ରହିଛି । ଏହା ଭିତରେ ଲୋକମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସତ କିନ୍ତୁ ଗାଁ ଗଣ୍ଡା, ସହର ବଜାର ଓ ଘର ପରିବାରମାନଙ୍କରେ ମଦ ଯୋଗୁଁ ସୃଷ୍ଟି ହେଉଥିବା ହିଂସା ଓ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।
ତେବେ ସରକାର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବା ପାଇଁ ପୁଣି ମଦ ଦୋକାନ ଖୋଲି ବିକ୍ରୟ ଆରମ୍ଭ କରୁଥିବା ଅଭିଯୋଗ କରାଯାଇଛି । ଅଭିଯାନ ପକ୍ଷରୁ କୁହାଯାଇଛି ଛୋଟ ଛୋଟ ଦୋକାନୀ ଓ ବୁଲା ବିକାଳିମାନେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଥିବା ବେଳେ ସରକାର ସେମାନଙ୍କ ପାଇଁ କିଛି କରୁ ନଥିବା ବେଳେ ମଦ ବିକ୍ରି କରି ରାଜସ୍ବ ଆଦାୟ କରିବାକୁ କହୁଛନ୍ତି । ଯଦି ଅର୍ଥ ରୋଜଗାର ପାଇଁ ସରକାର ଏପରି ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି ତେବେ ରାଜ୍ୟରେ ବେଶ୍ୟାଳୟ ଖୋଲି ତାହା ଦ୍ବାରା ଭଲ ରୋଜଗାର କରିବାକୁ ଅଭିଯାନ ପକ୍ଷରୁ କଟାକ୍ଷ କରି କୁହାଯାଇଛି । ସେହିପରି ରାଜ୍ୟର ମୁଖିଆ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରୁଥିବା ବେଳେ ଏପଟେ ମଦ ବିକ୍ରି କରି ଲୋକମାନଙ୍କ ସହ ଛଳନା କରୁଥିବା କହିଛନ୍ତି ।
ତେଣୁ ସରକାର ଏଭଳି ପରିକଳ୍ପନାରୁ ଓହରି ଯିବା ସହ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ନିଷିଦ୍ଧ କରିବାକୁ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ଏହା ସହ ସାଧାରଣ ଲୋକମାନେ ଏହି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି । ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଏକାଧିକ କର୍ମୀମାନେ ଯୋଗ ଦେଇ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଏହାକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କୁହାଯାଇଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ