ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନବୀନ ପଟ୍ଟନାୟକ ଦୁରୂପଯୋଗ କରୁଥିବା ଅଭିଯୋଗ କରିଛି ହିନ୍ଦୁ ଜାଗରଣ ମଞ୍ଚ । ରାଜ୍ୟରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହି ପାଣ୍ଠି ବ୍ୟବହାର ହୋଇଥାଏ । ତେବେ ମୁଖ୍ୟମନ୍ତ୍ରୀ ବେଆଇନ ଭାବରେ ମିଶନାରୀଙ୍କ ଦ୍ବାରା ପରିଚାଳିତ ୧୩ଟି ସଂସ୍ଥାକୁ ୭୮.୭୬ ଲକ୍ଷ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି(ଶୁକ୍ରବାର) ଭୁବନେଶ୍ବରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିନ୍ଦୁ ଜାଗରଣ ମଞ୍ଚ ସଦସ୍ୟ ।
ରାଜ୍ୟରେ କୋରୋନା ମହାମାରୀ ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ହିନ୍ଦୁ ଧର୍ମର ବିଭିନ୍ନ ମଠ ମନ୍ଦିର ସହଯୋଗର ହାତ ବଢ଼ାଇ ଆଗକୁ ଆସିଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧.୩୭ କୋଟି ଟଙ୍କା ସାହାଯ୍ୟ କରିବା ସହ ଲୋକମାନଙ୍କ ସେବାରେ ନିୟୋଜିତ ଥିଲେ । ତେବେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୌଣସି ସହାୟତା ପ୍ରଦାନ କରିନଥିବା ଅଭିଯୋଗ ହୋଇଛି ।
ସେବାକାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବା ମିଶନାରୀମାନେ ମହାମାରୀ ବେଳେ ସମାଜଠାରୁ ନିଜକୁ ଦୂରରେ ରହିଲେ । ମିଶନାରୀମାନେ ସବୁବେଳେ ସନ୍ଦେହ ଘେରରେ ରହି ଆସିଥିବା ହିନ୍ଦୁ ଜାଗରଣ ମଞ୍ଚ ସଦସ୍ୟ ଅଭିଯୋଗ କରିଛନ୍ତି । ସେବା ଆଳରେ ସରଳ ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ବେଆଇନ ଭାବେ ଧର୍ମାନ୍ତରୀକରଣ କରିଆସିଛନ୍ତି । ଆଜି ଯେତେବେଳେ ପଞ୍ଚାୟତ ନିର୍ବାଚନ ନିକଟତର ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଆଇନ ଭାବରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ଦୁରୂପଯୋଗ କରି ମିଶନାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିଥିବା ଅଭିଯୋଗ ହୋଇଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ସରକାରଙ୍କର ସଂଖ୍ୟାଲଘୁଙ୍କ ଭୋଟ ହାତେଇବା ପାଇଁ ଏପରି ହୀନ ଷଡଯନ୍ତ୍ର କରୁଥିବା ଆନ୍ଦୋଳନକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମିଶନାରୀଙ୍କ ଦ୍ବାରା ପରିଚାଳିତ ୧୩ଟି ସଂସ୍ଥାକୁ ଦେଇଥିବା ଅନୁଦାନକୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ଦୃଢ଼ ବିରୋଧ କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ