ଭୁବନେଶ୍ବର: ଦ୍ବନ୍ଦ୍ବରେ ଘରୋଇ ସ୍କୁଲ । ଆଜି(ସୋମବାର) ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସରୁମରେ ପାଠପଢ଼ା ହେବାକୁ ଥିବା ବେଳେ ରାଜ୍ୟ ସରକାର ଏହାକୁ 28 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଯାହା କେବଳ ସରକାରୀ ସ୍କୁଲ ଅନ୍ତର୍ଭୂକ୍ତ ରହିଛି । ତେବେ ଘରୋଇ ସ୍କୁଲ ଗୁଡିକ ଖୋଲିବ ନା ନାହିଁ ଏବେ ଦ୍ଵନ୍ଦ୍ବରେ କର୍ତ୍ତୃପକ୍ଷ ।
ରାଜ୍ୟରେ ସୋମବାରଠୁ ଅଫଲାଇନ ପରିବର୍ତ୍ତେ ଅନଲାଇନରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ ହୋଇଛି । ସରକାରୀ ସ୍କୁଲରେ କିନ୍ତୁ 28 ତାରିଖରୁ ପାଠପଢ଼ା ଆରମ୍ଭ ହେବ। ହେଲେ ଘରୋଇ ସ୍କୁଲରେ ପାଠପଢ଼ା ହେବ ନା ନାହିଁ, ପିଲାମାନେ ସ୍କୁଲ ଆସିବେ କି ନାହିଁ, ପ୍ଲେ ସ୍କୁଲ ଖୋଲିବ କି ନାହିଁ, ଘରୋଇ ସ୍କୁଲ ପାଇଁ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନଥିବାରୁ ବର୍ତ୍ତମାନ ଦ୍ଵନ୍ଦ୍ବରେ ରହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏପରିକି 14 ତାରିଖରେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଡାକିବେ କି 28 ପର୍ଯ୍ୟନ୍ତ ଅପେକ୍ଷା କରିବେ ଏହାକୁ ନେଇ ଦ୍ବନ୍ଦ୍ବ ଭିତରେ ବିଭିନ୍ନ ପ୍ରାଥମିକ ସ୍କୁଲ କର୍ତ୍ତୁପକ୍ଷ।
କାରଣ ଗଣଶିକ୍ଷା ବିଭାଗର 2ଟି ନୋଟିସ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି । ପ୍ରଥମ ଚିଠିରେ 14 ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବାକୁ ବିଭାଗ ସ୍ପଷ୍ଟ କରିଥିଲା । କିନ୍ତୁ ଏହା ପରଦିନ ଆଗୁଆ ଏକ ଚିଠିରେ ପ୍ରଥମରୁ ସପ୍ତମ ଯାଏଁ ଛାତ୍ରଛାତ୍ରୀ 28 ତାରିଖରେ ସ୍କୁଲ ଆସିବେ ବୋଲି କୁହାଗଲା । କାରଣ ଥିଲା 16 ତାରିଖରୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସରକାରୀ ସ୍କୁଲ ଗୁଡିକରେ ମତଦାନ କେନ୍ଦ୍ର ହେବ। ଏହାକୁ ନଜରରେ ରଖି 28 ତାରିଖରେ ସ୍କୁଲ ଖୋଲିବ ବୋଲି ବିଭାଗ ପୁନଃ ଚିଠି ଲେଖିଥିଲା ।
ଏପରି ସ୍ଥଳେ ଘରୋଇ ଇଂରାଜୀ ମିଡିୟମ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ସରକାରଙ୍କ ଏହି ଚିଠି କେବଳ ସରକାରୀ ସ୍କୁଲ ପାଇଁ ଉଦ୍ଦିଷ୍ଟ, ବେସରକାରୀ ପାଇଁ ନୁହେଁ । ତେଣୁ 16 ତାରିଖ ଠାରୁ ଧୀରେ ଧୀରେ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ। ସେପଟେ ବେସରକାରୀ ଓଡିଆ ମିଡିୟମ ସ୍କୁଲ କହିଛନ୍ତି ଆମେ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ନଚେତ୍ 28ରୁ କ୍ଲାସ୍ ଆରମ୍ଭ ହେବ। ସେପଟେ ବିଭାଗର ଏପରି ଦ୍ବନ୍ଦାତ୍ମକ ଚିଠି ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ।
ଗଣଶିକ୍ଷା ବିଭାଗ ଜାଣି ପାରୁ ନାହିଁ କାହାକୁ ଗୁରୁତ୍ବ ଦେବ । ଶିକ୍ଷା ନା ନିର୍ବାଚନ। ଏକ ଚିଠି ପୁନଃ କରି ଦ୍ବନ୍ଦ୍ବ ଦୂର କରିବା ସହ ତୁରନ୍ତ ସ୍କୁଲ ଖୋଲିବ ପାଇଁ ଦାବି କରିଛନ୍ତି । ଘରେ 2 ବର୍ଷ ରହି ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ଓ ବ୍ୟବହାର ଭୁଲିଗଲେଣି ବୋଲି କହିଛନ୍ତି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ