ଭୁବନେଶ୍ବର: କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ସଞ୍ଜୟଙ୍କୁ କଡା ସମାଲୋଚନା କଲା ବିଜେପି । ନବରଙ୍ଗପୁର କୋଷାଗୁମୁଡ଼ା ଦୁଷ୍କର୍ମ ଘଟଣାରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟକୁ ନେଇ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ କଡା ସମାଲୋଚନା କରିଛନ୍ତି ।
ଗତକାଲି ବିଜେଡି ସାଧାରଣ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମ ହୋଇନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଷ୍କର୍ମ ହୋଇନାହିଁ ବୋଲି ସଞ୍ଜୟ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ ବକ୍ସିପାତ୍ର। ନବରଙ୍ଗପୁର ଦୁଷ୍କର୍ମ ଘଟଣାର ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବାକୁ ଆହ୍ବାନ କରିଛନ୍ତି ଭୃଗୁ। ବଳତ୍କାରୀ ଓ ହତ୍ୟାକାରୀକୁ ବଞ୍ଚାଇବାକୁ ପୋଲିସ ଓ ବିଜେଡି କର୍ମୀ ଭାଗ ବାଣ୍ଟି ନେଇଛନ୍ତି ବୋଲି ଭୃଗୁ କହିଛନ୍ତି।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଗୁମଣ୍ଡଳି ଗ୍ରାମର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଏହି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ ଗତକାଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝୀଙ୍କ ନେତୃତ୍ବରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ