ଭୁବନେଶ୍ବର: କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାର ଫଳ ସ୍ବରୂପ ସରକାର ଦିଶାହୀନ ଭାବେ ନିୟମ ଆଣି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।
ସ୍ଥାନୀୟ କଂଗ୍ରେସ ଭବନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଓଡିଶା ସରକାରଙ୍କ ଦିଶାହୀନ କୋରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ସୃଷ୍ଟି ହୋଇଛି । ଏହା ସ୍ବାସ୍ଥ୍ୟ ସେବା ପ୍ରସଙ୍ଗ ନହୋଇ ଏକ ଅଭାବନୀୟ ମାନବ ଯନ୍ତ୍ରଣା, ଆଇନ ଶୃଙ୍ଖଳା ଏବଂ ଗୁରୁତର ଆର୍ଥିକ ଦୁଃସ୍ଥିତର ରୂପ ଧାରଣ କରିଛି ବୋଲି ସେ କହିଛନ୍ତି । ଯେଉଁମାନେ ସରକାରଙ୍କ ନୀତି ନିର୍ଦ୍ଧାରକ ଅଛନ୍ତି ସେମାନଙ୍କ ଦୂରଦୃଷ୍ଟି ହୀନତା ପାଇଁ ଏପରି ହେଉଥିବା ସେ ଅଭିଯୋଗ କରିଛନ୍ତି ।
ନିକଟରେ ରାଜ୍ୟ ସରକାର ପଞ୍ଚମ ପର୍ଯ୍ୟାୟ ଲାକଡାଉନ ନିୟମ ଘୋଷଣା କରିଛନ୍ତି । ଯେତେବେଳେ କି ସାରା ଦେଶରେ ଏହାକୁ ଉଠାଇବା ପାଇଁ ବ୍ୟବସ୍ଥା ହେଉଛି । ସେତିକିବେଳେ ସରକାର ରାଜ୍ୟର 11 ଟି ଜିଲ୍ଲାରେ ସପ୍ତାହକୁ 2ଦିନ ସଟ ଡାଉନ ଘୋଷଣା କରିଛନ୍ତି । ଯାହାର କ'ଣ ବୈଜ୍ଞାନିକ ଦୃଷ୍ଟି ଭଙ୍ଗି ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଯେଉଁଠି ସରକାର ରୋଗୀମାନଙ୍କ ଅଧିକ ପରୀକ୍ଷଣ କରିବାର ଆଵଶ୍ୟକତା ରହିଛି ତାହା ନ କରି ଲୋକଙ୍କୁ ଡରାଇ ଘରେ ରହିବାକୁ ବାଧ୍ୟ କରୁଛନ୍ତି । ଆଉ ଯିଏ ବାହାରିବ ତା' ଠାରୁ ଫାଇନ ଆଦାୟ କରିବାକୁ ଲାଗିଛନ୍ତି । ଯାହାକି ଅତ୍ୟନ୍ତ ଅଭାବନୀୟ ଘଟଣା ବୋଲି ସେ କହିଛନ୍ତି । ତେଣୁ ସରକାର ନୀତି ନିର୍ଦ୍ଧାରଣ କରିବା ପୂର୍ବରୁ ବିଭିନ୍ନ ବିଶେଷଜ୍ଞମାନଙ୍କ ସହ କଥା ହୋଇ ଲୋକଙ୍କ ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତୁ । ଅଯଥାରେ ଲୋକଙ୍କ ଉପରେ ନୀତି ନିୟମ ଲଦି ଦେଇ ସେମାନଙ୍କୁ ଭାରାକ୍ରାନ୍ତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ