ଭୁବନେଶ୍ବର: ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକଙ୍କ ବିଧାନସଭା ତ୍ୟାଗ ଘଟଣାରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟରେ କେବଳ ସ୍ମିତାରାଣୀ ହତ୍ୟା ମାମଲା ନୁହେଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିଜେପି ଜିଦରେ କଣ ବିଧାନସଭାର ନିୟମ ବଦଳିଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, ବିଜେପି ବିଧାୟକଙ୍କୁ ଗୃହକୁ ଫେରି ଆଲୋଚନାରେ ଭାଗ ନେବାକୁ କୁହାଯାଇଛି । ହେଲେ ସେମାନେ ଆସିନାହାଁନ୍ତି। ରାଜ୍ୟରେ କେବଳ ସ୍ମିତାରାଣୀ ହତ୍ୟା ମାମଲା ନୁହେଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । କୃଷକ ଓ ମହିଳା ତାଙ୍କର ସମସ୍ୟା ନେଇ ବିଧାନସଭାରେ ଆଲୋଚନା କରାଯିବାକୁ ଚାହିଁ ରହିଥିବା ବେଳେ । ଏପରି କରିବାରେ କେତେ ଯଥାର୍ଥତା ରହିଛି ।
ଜନତାଙ୍କ ଅର୍ଥରେ ବିଧାନସଭା ଚାଲିଛି। ବିରୋଧୀ ଜିଦରେ ବସିଲେ କିଏ କଣ କରିବ? ବିଜେପିର ଫେରାଦ ହେବାର ଅଧିକାର ରହିଛି । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ଜାଣିଶୁଣି ଆସୁନାହିଁ । ସେମାନେ ଭାବୁଛନ୍ତି ତାଙ୍କ ଦଳ ହିଁ ସର୍ବସ୍ବ। ଲୋକଙ୍କ କଥା ଚିନ୍ତା କରୁନାହାଁନ୍ତି। ବିଧାନସଭା ନିୟମ ଅନୁସାରେ ଚାଲିବ ନାଁ ସେମାନଙ୍କ ଜିଦରେ ନିୟମ ବଦଳିବ ବୋଲି ସରକାରୀ ଦଳ ସଚେତକ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ