ଭୁବନେଶ୍ବର: ବହୁ ଚର୍ଚ୍ଚିତ କଟାମୁଣ୍ଡ ହତ୍ୟା ଘଟଣାରେ କମିଶନର ପୋଲିସକୁ ମିଳିଛି ବଡ ସଫଳତା । ମୃତ ମହିଳା ଜଣକ ମଞ୍ଚେଶ୍ବର ଥାନା ଧିରକୁଟ ବସ୍ତିରେ ରହୁଥିବା ପୁଷ୍ପଲତା ରାଉଳ (28) ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ସୂଚନା ଦେଇଛନ୍ତି ।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ପୁଷ୍ପଲତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଅଙ୍ଗଦ ଦାସ ଓରଫ ସଞ୍ଜୟ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଆଗରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ଭଡା ରହୁଥିଲେ । ଉଭୟ ପରସ୍ପରକୁ ଗତ 6 ବର୍ଷ ହେବ ଜାଣିଥିଲେ । ପରେ ପୁଷ୍ପଲତା ଭରତପୁରରେ ନିଜେ ଏକ ଘର କରି ତାରଣୀ ନଗର ବସ୍ତିରେ ଏକା ରହୁଥିଲେ । ବେଳେବେଳେ ସେ ସଞ୍ଜୟ ରହୁଥିବା ଫୁଲେଶ୍ବରୀ ବସ୍ତିକୁ ବୁଲାବୁଲି କରିବାକୁ ଯାଆନ୍ତି । କିନ୍ତୁ ଗତ ଏକ ମାସ ହେବ ସେ ସଞ୍ଜୟଙ୍କ ସହ ରହିଆସୁଥିଲେ ।
ତେବେ ଗତ 24 ଡିସେମ୍ବରରେ ପୁଷ୍ପଲତା ପ୍ରୀତିରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ ଆମପୋଇରେ ବିବାହ କରିଥିଲେ । ସେ ସ୍ବାମୀ ପ୍ରୀତିରଞ୍ଜନଙ୍କ ସହ ଚକେଇସିଆଣୀରେ ରହୁଥିଲେ । ବିବାହର କିଛି ଦିନ ପରେ ସେ ସ୍ବାମୀ ପ୍ରିତିରଞ୍ଜନଙ୍କୁ ଛାଡି ପୁଣି ସଞ୍ଜୟଙ୍କ ସହ ଫୁଲେଶ୍ବରୀ ବସ୍ତିକୁ ରହିବାକୁ ଆସିଲେ । ଏହାରି ମଧ୍ୟରେ ବିବାହକୁ ନେଇ ପୁଷ୍ପଲତା ଏବଂ ସଞ୍ଜୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।
ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଯାଇଥିଲା ଯେ ଶେଷରେ ସଞ୍ଜୟ ଗତ ଫେବୃୟାରୀ 3 ତାରିଖ ସନ୍ଧ୍ୟା 5ଟା ବେଳେ ପୁଷ୍ପଲତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ । କେବଳ ଏତିକି ନୁହେଁ ପ୍ରମାଣ ନଷ୍ଟ କରିବାକୁ ସଞ୍ଜୟ ନିଜ ସାଙ୍ଗ ଚନ୍ଦୁକୁ ଡାକି ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡିରେ ମୃତଦେହକୁ ନେଇ ଚନ୍ଦକା ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ପ୍ରଥମେ ପୁଷ୍ପଲତାଙ୍କର ବେକ କାଟିଥିଲେ । ଏବଂ ପରେ ଜଙ୍ଗଲର ଅଲଗା ଅଲଗା ସ୍ଥାନରେ ମୁଣ୍ଡ ଓ ଗଣ୍ଢି ଫୋପାଡି ଦେଇଥିଲେ । ପୁଷ୍ପଲତାର ମୋବାଇଲ ଫୋନ, କଟାମୁଣ୍ଡ ଉଦ୍ଧାର କରିବା ସହ ଉଭୟ ସଞ୍ଜୟ ଓ ତାଙ୍କ ସାଙ୍ଗ ଚନ୍ଦୁକୁ ଗିରଫ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ