ଭୁବନେଶ୍ବର: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବାରେ ୨୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ବିଜେପି ନେତାମାନେ ପୋଷ୍ଟକାର୍ଡ ମାଧ୍ୟମରେ ମୋଦିଙ୍କୁ ଚିଠି ଲେଖୁଛନ୍ତି । ତେବେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିର ପରିସରରୁ ମୋଦିଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ପୋଷ୍ଟକାର୍ଡ କାର୍ଯ୍ୟକ୍ରମ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବାରେ 20 ବର୍ଷ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ 20 ବର୍ଷର ନିରନ୍ତର ସେବା ମଧ୍ୟରେ କେବେ ଥକି ଯାଇନାହାନ୍ତି । ସେ କେବେ ବି ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦିନ ଛୁଟି ମଧ୍ୟ ନେଇ ନାହାନ୍ତି । ଏହି ଅବସରରେ ସାରା ଦେଶରେ ବିଜେପି ନେତା ଏବଂ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମଧ୍ୟମରେ ଚିଠି ଲେଖୁଛନ୍ତି ।
ପୋଷ୍ଟ କାର୍ଡରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ଅନେକ ବିଜେପି ନେତା ଏବଂ କର୍ମୀ । ସମ୍ବିତ ପ୍ରଥମେ ରାଜଧାନୀର ହଜଖାସ ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହାପରେ ମୋଦିଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖିଥିବା ଦେଖିବାକୁ ମିଳିଥିଲା । ସମ୍ବିତଙ୍କ ସହିତ ମନ୍ଦିର ପରିସରରେ ବସି ଅନ୍ୟ ନେତାମାନେ ମଧ୍ୟ ଚିଠି ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଧନ୍ୟବାଦ ଦେବା ସହିତ ତାଙ୍କ ଜନ୍ମମାସ ପାଳନ ଅବସରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ସେବା ଓ ସମର୍ପଣ କାର୍ଯ୍ୟକ୍ରମ । ଏହି ଅବସରରେ ମୋଦିଙ୍କୁ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି । ପୋଷ୍ଟକାର୍ଡ ଜରିଆରେ ମୋଦିଙ୍କ ପ୍ରତିଟି ଲୋକପ୍ରିୟ କାର୍ଯ୍ୟକ୍ରମକୁ ସାରା ଦେଶରେ ୧୦ କୋଟି ଲୋକ ଓ ସମର୍ଥକମାନେ ଧନ୍ୟବାଦ ଜଣାଉଥିବା ବେଳେ ଭୁବନେଶ୍ବରରେ ବିଜେପି କର୍ମୀ ପକ୍ଷରୁ ପୋଷ୍ଟକାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ