ଭୁବନେଶ୍ବର: ଏଣିକି ଗାଁରେ ପ୍ଲାଷ୍ଟିକ ବ୍ୟାନ। ପୂର୍ବରୁ ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ ହେବାକୁ ଥିବାବେଳେ 2020 ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ପଞ୍ଚାୟତରାଜ ବିଭାଗକୁ ସଚେତନ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ ସହ ପ୍ଲାଷ୍ଟିକ କଲେକ୍ସନ ପାଇଁ ନଗର ଉନ୍ନୟନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତ ଜିଲ୍ଲାର ପ୍ଲାଷ୍ଟିକ ମ୍ୟାନେଜମେଣ୍ଟ ପାଇଁ ପ୍ଲାଷ୍ଟିକ ଓ୍ଵେଷ୍ଟ ପ୍ରୋସେସିଙ୍ଗ ସେଣ୍ଟର ଖୋଲାଯିବ ବୋଲି ଜଣାପଡିଛି । ଯେଉଁ କମ୍ପାନୀ ପ୍ଲାଷ୍ଟିକ ବ୍ୟାନ ସାମଗ୍ରୀ ତିଆରି କରିପାରିବେ ନାହିଁ ସେମାନେ କଞ୍ଚାମାଲ କିଣିବା ପୂର୍ବରୁ ଅନୁମତି ନେବାକୁ କୁହାଯାଇଛି।
ପ୍ଲାଷ୍ଟିକ ବ୍ୟାନକୁ ଆଖିଆଗରେ ରଖି ଏସଏଚଜି ମହିଳାଙ୍କୁ କପଡା ବ୍ୟାଗ ତିଆରି କରିବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ନିର୍ଦ୍ଦେଶକ କେ ମୁର୍ଗେସନ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ମହାନଗର ନିଗମ ଓ ମ୍ୟୁନିସିପାଲଟିରେ ପ୍ଲାଷ୍ଟିକ ବ୍ୟାନ ହେବାକୁ ଘୋଷଣା ହୋଇଥିବାବେଳେ ଆସନ୍ତା 2020 ଗାନ୍ଧୀ ଜୟନ୍ତୀରୁ ଏହାକୁ ସମଗ୍ର ରାଜ୍ୟରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥି ସହିତ ଲୋକସେବା ଭବନରେ ମଧ୍ୟ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେଉଁ ବିଭାଗ ପ୍ଲାଷ୍ଟିକ୍ ବ୍ୟାନ ପାଇଁ କଣ ପଦକ୍ଷେପ ନେବେ ସେ ନେଇ ନିଷ୍ପତ୍ତି ହୋଇଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ