ଭୁବନେଶ୍ବର: ପିପିଲି ଉପନିର୍ବାଚନ ହେବା ନେଇ ବାଟ ଫିଟିଲା । ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ । କୋରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ସେଥିମଧ୍ୟରୁ ପିପିଲି ଉପନିର୍ବାଚନ ଅନ୍ୟତମ । ତେବେ ନିର୍ବାଚନ କିପରି ହେବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଜଣାପଡିଛି ।
ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ପରବର୍ତ୍ତୀ ସମୟରେ ଏକାଧିକ ଥର ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଛି । ପ୍ରାର୍ଥୀ ଘୋଷଣା ସହ ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରିଥିଲେ ବିଭିନ୍ନ ରାଜନୈତିକ ଦଳ । କିନ୍ତୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ ।
ପରବର୍ତ୍ତୀ ସମୟରେ କୋଭିଡର ଦ୍ୱିତୀୟ ଲହରୀ ପ୍ରଭାବ ଜୋରଦାର ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟରେ ସାଧାରଣ ନିର୍ବାଚନ ଯୋଗୁଁ ସଂକ୍ରମଣ ବଢିଥିବା ନେଇ ଅଭିଯୋଗ ଆସିଲା । ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ଗଲା । ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ କୋର୍ଟ । ଏହା ସହ ଦେଶ ଓ ରାଜ୍ୟରେ ତାଲାବନ୍ଦ ଘୋଷଣା କରିଥିଲେ ସରକାର । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଦେଶରେ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ କମିଶନଙ୍କ ନୋଟିସ ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆଶା ସୃଷ୍ଟି କରିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ