ଭୁବନେଶ୍ବର: ଆଗକୁ ଆସୁଛି ରଜ । ରଜ 3 ଦିନ ଧରି ନନ୍ଦନକାନନରେ ଭିଡ ଲାଗି ରହିଥାଏ । ତେବେ ଗତକାଲିର ପର୍ଯ୍ୟଟକଙ୍କୁ ମାଡ ଘଟଣାକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ । ଅନେକ ସମୟରେ ଆକ୍ରମଣରେ ଲହୁ ଲୁହାଣ ହେଉଛନ୍ତି ପର୍ଯ୍ୟଟକ । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଥିବାବେଳେ ଏବେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ଯିବାକୁ ଭୟଭୀତ ହୋଇପଡ଼ିଛନ୍ତି । ଏ ନେଇ ଆସିଛି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ।
ଯେତେବେଳେ ବଡ ପର୍ବପର୍ବାଣୀ ଆସେ ଏହି ସମୟରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ଅଧିକ ଲାଗି ରହିଥାଏ। ଆଗକୁ ଆସୁଛି ରଜ। ଏହି ସମୟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି । ସମସ୍ତେ ଜୀବଜନ୍ତୁଙ୍କୁ ଦେଖି ମନୋରଞ୍ଜନ କରିଥାନ୍ତି । ପାଖାପାଖି 1 ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ତେବେ ନନ୍ଦନକାନନ ମଧ୍ୟରେ ଗତକାଲି ଘଟଣାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣା ପରେ ପର୍ଯ୍ୟଟକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଆଗକୁ ରଜ ଥିବାରୁ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି ଯେ, "ନନ୍ଦନକାନନରେ ନିୟୋଜିତ ଥିବା ବନ କର୍ମକାରୀ ଏବଂ ନନ୍ଦନକାନନ ଥାନା ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ପ୍ରାଣୀ ଉଦ୍ୟାନରେ ବିଭିନ୍ନ ସ୍ଥାନରେ ଅଲଗା ବନ କର୍ମଚାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ରହିବେ। ପର୍ଯ୍ୟଟକଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବ। ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବାର ଅଛି ତ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରାଥମିକତା ରହିବ। ଆଗକୁ ଏଭଳି ଘଟଣା ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ।"
ଏହା ବି ପଢନ୍ତୁ- ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ
ପର୍ଯ୍ୟଟକଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିବେଦନ କରି କହିଛନ୍ତି ଯେ, "ପ୍ରାଣୀ ଉଦ୍ୟାନକୁ ଅଧିକ ସଂଖ୍ୟାରେ ଆସନ୍ତୁ । ମନୋରଞ୍ଜନ କରନ୍ତୁ । ଯଦି ପ୍ରାଣୀ ଉଦ୍ୟାନ ମଧ୍ୟରେ କୌଣସି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ନିକଟରେ ଥିବା ବନ କର୍ମଚାରୀଙ୍କୁ ଜଣାନ୍ତୁ। ନଚେତ ଲିଖିତ ଆକାରରେ ଅଭିଯୋଗ ବାସ୍କ ମାଧ୍ୟମରେ ନିଜର ଅଭିଯୋଗକୁ ଜଣାନ୍ତୁ । " ଏପଟେ କିନ୍ତୁ ନନ୍ଦନକାନନର ଆଉ ଏକ ଘଟଣା ସାମନାକୁ ଆସିଛି । ନନ୍ଦନକାନନରେ ଥିବା ସଫାରୀ ବସର ନାହିଁ ଫିଟନେସ । ମୋଟ ଆକାରରେ ନନ୍ଦନକାନନରେ 4 ଟି ସଫାରୀ ବସ ରହିଛି । ସେଥିରୁ 2ଟି ସଫାରୀ ବସର ନାହିଁ ଫିଟନେସ ।
ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି ଯେ ଦୁଇଟି ଗାଡିରେ ଇନ୍ସୁରାନ୍ସ କି ଫିଟନେସ ନଥିଲା । ଯାହା 3 ମାସ ହେଲା ସରିଯାଇଛି । ଯେଉଁମାନଙ୍କର ଇନସୁରାନ୍ସ ଏବଂ ଫିଟନେସ ନାହିଁ, ତାହା ଏବେ ବନ୍ଦ କରିଦିଆଯାଇଛି । ଯଦି ଏଭଳି ବାରମ୍ବାର ଘଟଣା ଘଟେ ତେବେ ପରିସ୍ଥିତି ଦେଖି ସେମାନଙ୍କର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ। ସୂଚନା ଅନୁଯାୟୀ, ଆସନ୍ତା 27 ତାରିଖରେ ନନ୍ଦନକାନନରେ ଥିବା ଭୂତଳ ପାର୍କିଂକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଥାଉ କି ଗତକାଲି ଅପରାହ୍ନରେ ରଣକ୍ଷେତ୍ର ପାଲଟିଲା ନନ୍ଦନକାନନ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସଫାରୀ ବସ୍ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ନନ୍ଦନକାନନରେ ସଫାରୀ ବସ୍ ଟିକେଟକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥିଲା । ଏଥିରେ ଛତିଶଗଡ଼ରୁ ଆସିଥିବା ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ । ସେମାନଙ୍କୁ ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ପର୍ଯ୍ୟଟକଙ୍କୁ ନେଇ ଚାଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଉ ଯଦି ଏପରି ଆକ୍ରମଣ କରାଯାଏ, ତେବେ ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ ?
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ