ଭୁବନେଶ୍ବର: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍ ନେଇଥିବା 58.1% ବ୍ୟକ୍ତିଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ (B1.617.2) ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଯେଉଁ ଆଣ୍ଟିବଡି ବିକାଶ ହେବାର କଥା ତାହା ରକ୍ତ ନମୁନାରେ ଦେଖିବାକୁ ମିଳିନାହିଁ । ସେହିପରି ଦ୍ବିତୀୟ ଡୋଜ ନେଇଥିବା 16.1% ଲୋକଙ୍କ ଠାରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ମଧ୍ୟ ମିଳିଲା ନାହିଁ । ତେଣୁ ବୁଷ୍ଟର୍ ଡୋଜର ଆଵଶ୍ୟକତା ରହିଛି ।
ଲୋକଙ୍କୁ ବୁଷ୍ଟର୍ ନଦେଲେ ଭ୍ୟାକ୍ସିନ ନେଇ କିଛି ଲାଭ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ତେଣୁ ଲାଗୁଛି ବୁଷ୍ଟର୍ ଡୋଜ ଦରକାର ପଡିବ । ହେଲେ କେବେ ଦରକାର ପଡିବ ତାହା ଠିକ ହୋଇନି । ଯେଉଁମାନଙ୍କୁ କୋଭିଡ ହୋଇନି ଓ ସେମାନେ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କୁ ଏହା ଦରକାର ପଡିପାରେ । ଏବଂ ଯାହାକୁ କୋଭିଡ଼ ହୋଇଛି ଓ ସେମାନେ ଟିକା ନେଇ ବି ସାରିଛନ୍ତି, ସେମାନଙ୍କୁ ଦରକାର ନପଡିପାରେ ବୋଲି କହିଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
ସେ ଆହୁରି ମଧ୍ୟ କହିଛନ୍ତି, ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ମଧ୍ୟ କୋଭିଡ ନିୟମ ମାନିବାକୁ ପଡ଼ିବ । କାରଣ ଦୁଇ ଡୋଜ ନେଇ ସାରିଥିବା ଲୋକଙ୍କୁ ମଧ୍ୟ କୋଭିଡ ହେଉଛି । ତେଣୁ ଗୋଟିଏ ଜାଗାରେ ଲୋକଙ୍କ ସମାଗମକୁ ବାରଣ କରାଯାଇଛି । ତେବେ ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ସଂକ୍ରମଣ କମ ହେଉଛି । କିନ୍ତୁ ଏବେ ଯେଉଁ ଅଧ୍ୟୟନ କରାଯାଇଛି ତାହା ଅଲଗା ଥିଲା । ଏବେ ଯେଉଁ ଡେ଼ଲ୍ଟା ଭାରିଆଣ୍ଟ ଆସିଛି ସେଥିରେ ରିସ୍କ ଅଫ ଟ୍ରାନ୍ସମିଶନ ଅଧିକା ରହୁଛି ଏବଂ ସଂକ୍ରମଣ ସମ୍ଭାବନା ମଧ୍ୟ ଅଧିକା କହୁଛି । ଏହା ସହ ଦୁଇ ଡୋଜ ନେଇଥିବା ଲୋକଙ୍କର ମଧ୍ୟ ମୃତ୍ୟୁ ହେଉଛି ବୋଲି ନିରୋଜ ମିଶ୍ର କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ