ଭୁବନେଶ୍ବର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଫଳରେ ବୁଲା ଗାଈ, ଗୋରୁ, କୁକୁର ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବୁଲା ପଶୁ ଓ ପକ୍ଷୀଙ୍କ ଖାଦ୍ୟ ପାଇଁ 60 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଚ୍ଚକୋଟୀର ପଦକ୍ଷେପକୁ ‘ପିପୁଲ ଫର୍ ଆନିମଲ ଇଣ୍ଡିଆ’ ପ୍ରଶଂସା କରିବା ସହ ଏହାର ସଠିକ୍ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଗଠନ ।
ତେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅର୍ଥରେ ପ୍ରଶାସନର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ ଏଥିପାଇଁ ଦୈନିକ 20 ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ 10 ହଜାର ଟଙ୍କା ଖର୍ଚ୍ଚ କରିବେ ।
ମ୍ୟୁନିସପାଲଟିମାନେ ଦୈନିକ 5 ହଜାର ଟଙ୍କା ଓ NACମାନେ ଦୈନିକ 2 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଅନ୍ୟ ସାଧାରଣ ଲୋକ ଘର ପାଖରେ ରହୁଥିବା ପଶୁ ପକ୍ଷୀଙ୍କ ଲାଗି ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ