ଭୁବନେଶ୍ବର: ପିସି କାରବାରକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତୃଣମୂଳ ସ୍ତରରେ ପିସି କାରବାର ବନ୍ଦ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ବେଳେ ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେଉନି । ତଳ ସ୍ତରରେ ବ୍ୟାପକ ଲାଞ୍ଚ କାରବାର ହେଉଛି, ହେଲେ ସରକାର ସ୍ବଚ୍ଛତାର ଡିଣ୍ଡିମ ପିଟୁଛନ୍ତି । ଏହାକୁ ନେଇ ଆଜି ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ସମାଲୋଚନା କରିଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି ।
କନ୍ଧମାଳ ଜିଲ୍ଲାରେ ଜଣେ ପଞ୍ଚାୟତ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଦେବଗଡ଼ ଜିଲ୍ଲାରୁ ଦୁଇଜଣ, ବାଲେଶ୍ଵର ଜିଲ୍ଲାର 4 ଜଣ, ଅନୁଗୁଳରୁ ଜଣେ, ପୁରୀ ଜିଲ୍ଲାର ତିନି ଜଣ, ସୁନ୍ଦରଗଡ଼ ଜିଲ୍ଲା 3 ଜଣ ଓ ଢେଙ୍କାନାଳ ଜିଲ୍ଲାର 9 ଜଣ ପଞ୍ଚାୟତ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ପିସି ବନ୍ଦ ଏକ ଧୂଆଁବାଣ । ତୃଣମୂଳ ସ୍ତରରେ ପିସି ନନେଲେ ଜନ୍ମ କି ମୃତ୍ୟୁ ପଞ୍ଜିକା ମିଳୁନି । କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ତଲତଳିଆ ଅଧିକାରୀଙ୍କ ବିରୋଧକାର୍ଯ୍ୟାନୁଷ୍ଠାନ ନେଇ ସରକାର ବାହାବା ନେଉଛନ୍ତି । ପୂର୍ବରୁ 15 ପ୍ରତିଶତ ପିସି ଦିଆଯାଉଥିଲା ଏବେ 20ରୁ 25 ପ୍ରତିଶତ ପିସି ଦେବାକୁ ପଡୁଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ