ଭୁବନେଶ୍ବର: ସରକାରୀ ଅଧିକାରୀମାନେ ବୁକ ସର୍କୁଲାର-୪୭କୁ କଡ଼ାକଡ଼ି ଭାବେ ପାଳନ କରିବେ । ଏଥିପାଇଁ ସମସ୍ତ ବିଭାଗକୁ ତାଗିଦ କରିଛି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ । ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଏନେଇ ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ବିଭାଗରେ ଏକ ସେଲ୍ ଗଠନ କରି ଜଣଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯିବ । ଏହାର ବିସ୍ତୃତ ଗାଇଡ଼ଲାଇନ ବିଭାଗ ପକ୍ଷରୁ ଜାରି ହୋଇଛି । ସରକାରୀ ଅଧିକାରୀମାନେ ବୁକ ସର୍କୁଲାର-୪୭କୁ ଖୋଲା ଉଲ୍ଲଙ୍ଘନ କରୁଛନ୍ତି । ସାଂସଦ ଓ ବିଧାୟକ ଚିଠି ଲେଖିଲେ ତାହା ଉପରେ ପଦକ୍ଷେପ ନେଉନାହାନ୍ତି କିମ୍ବା ପ୍ରାପ୍ତି ସ୍ବୀକାର ବି ଦେଉନାହାନ୍ତି ।
ଏହାକୁ ନେଇ ବିଭିନ୍ନ ସମୟରେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକମାନେ ଖୋଲା ଅସନ୍ତୋଷ ଝାଡ଼ିଛନ୍ତି । ଗତ ବିଧାନସଭା ଅଧିବେଶନ ସମୟରେ ଖୋଦ ବାଚସ୍ପତି ମଧ୍ୟ ଅଫିସରଙ୍କ ବ୍ୟବହାର ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି ।
ଏହାମଧ୍ୟ ପଢନ୍ତୁ: Book Circular No-47: ଜାଣନ୍ତୁ, ସରକାରୀ ବାବୁଙ୍କଠୁ କିଭଳି ବ୍ୟବହାର ପାଇବେ ସାଂସଦ ଓ ବିଧାୟକ ?
ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଏହି ପ୍ରସଙ୍ଗରେ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି । ବ୍ଲକ ସର୍କୁଲାର-୪୭ ଯେପରି ଠିକ୍ ଭାବେ ପାଳନ ହେବ, ସେଥିପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରାଯାଇଛି । ସବୁ ବିଭାଗରେ ଏଥିପାଇଁ ଏକ ସେଲ ଗଠନ କରାଯିବା ସହ ଜଣଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯିବ । ଏହି ସେଲ ସାଂସଦ ଓ ବିଧାୟକମାନେ ପଠାଉଥିବା ଚିଠି ଉପରେ ଆବଶ୍ୟକ ପଦକ୍ଷେପ ନେବେ । ନିୟମ ପାଳନ ହେଉଛି କି ନାହିଁ ସେଥିପ୍ରତି ଦୃଷ୍ଟି ରଖିବେ । ଅଫିସରମାନେ ବିଧାୟକ ଓ ସାଂସଦଙ୍କ ଫୋନ ରିସିଭ୍ କରିବା ସହ ଆବଶ୍ୟକ ଉତ୍ତର ଦେବା ଆବଶ୍ୟକ । ପ୍ରତି ମାସ 15 ତାରିଖରେ ପ୍ରତି ବିଭାଗ ଏ ସମ୍ପର୍କିତ ତଥ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇବେ । ସଂସଦୀୟ ବ୍ୟାପାର ବିଭାଗ ପ୍ରତି ମାସର ଆସନ୍ତା 20 ତାରିଖ ସୁଦ୍ଧା ମୁଖ୍ୟ ସଚିବଙ୍କୁ ସମସ୍ତ ରିପୋର୍ଟ ପଠାଇବେ ।
ଇଟିଭି ଭାରତ, ଭୁବନେଶ୍ବର