ଭୁବନେଶ୍ବର: OUAT ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଫାର୍ମ ହାଉସ ପୋଖରୀ ଭିତରେ ମୃତଦେହ ଘଟଣାରେ ପୋଲିସ ଖୋଜୁଛି ସୁରାକ । ମୃତ୍ୟୁର କାରଣ ପୋଖରୀରେ ବୁଡିକି ମୃତ୍ୟୁ ନା ହତ୍ୟା ତାହା ଏବେ ରହିଛି ସନ୍ଦେହ ଘେରରେ । ତେବେ ଏହାର ଏବେ ଉତ୍ତର ଦେବ ଡାଏଟମ ଟେଷ୍ଟ । ଛାତ୍ରୀଙ୍କ ସାମ୍ପଲ ଡାଏଟମ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ମିଳିଛି ।
ପୋଷ୍ଟମର୍ଟମ ବେଳେ ମୃତଦେହରେ କୌଣସି ଦାଗ ନଥିଲା । ତେବେ ତାଙ୍କ ହାତରୁ କିଛି ନଡ଼ା ବିଡା ମିଳିଥିବା ବେଳେ ପୋଷ୍ଟମର୍ଟମ ପରେ ଏବେ ପୋଲିସ ଡାଏଟମ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛି । ପ୍ରାଥମିକ ତଦନ୍ତରୁ ଫାର୍ମ ହାଉସ ସିସିଟିଭିରେ ଯୁବତୀ ଜଣକ ରାତି ପ୍ରାୟ ୧ଟା ସମୟରେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଛାତ୍ରୀଙ୍କ ବାପା କହିଛନ୍ତି ସେ ଜଣେ ଓୟୁଏଟିର ମେଧାବୀ ଛାତ୍ରୀ ଥିଲେ । ଜେଇଇ ଏଣ୍ଟ୍ରାନ୍ସ ଦେଇଥିଲେ । ଏହାର ତୃତୀୟ ପେପରରେ ଆଶାଜନକ ଭଲ କରିପାରିନଥିଲେ । ଏଥିଲାଗି ସେ ଦୁଃଖିତ ଥିଲେ ।
କିନ୍ତୁ ଫାର୍ମ ହାଉସ ଡେଇଁ ଯିବାକୁ ମୃତ ଛାତ୍ରୀଙ୍କ ବାପା ଖଣ୍ଡନ କରିଛନ୍ତି । ପୋଲିସର ତଦନ୍ତ ଉପରେ ନିର୍ଭର କରୁଛି ଛାତ୍ରୀଙ୍କ ମୃତ୍ୟୁର କାରଣ । ସେପଟେ ACP ପ୍ରକାଶ ପାଲ କହିଛନ୍ତି ଯେ ଡାଏଟମ ଟେଷ୍ଟ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ। ସୂଚନା ଥାଉ କି ଗତକାଲି ଶୁକ୍ରବାର ନନ୍ଦନକାନନ ଥାନା ଅଞ୍ଚଳର ଏକ ଫାର୍ମ ହାଉସ ପୋଖରୀରେ ପ୍ରଫେସର ରମେଶ ମଲିକଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ଓୟୁଏଟି ଛାତ୍ରୀ କାମିନି ପ୍ରିୟଦର୍ଶିନୀ ବୋଲି ଜଣାପଡିଛି ।
ନିଛାଟିଆ ଫାର୍ମ ହାଉସ ପୋଖରୀରେ ପ୍ରଫେସରଙ୍କ ଝିଅର ମୃତଦେହ ମିଳିଥିବାକୁ ନେଇ ପୋଲିସ ପ୍ରଥମେ ହତ୍ୟା ସନ୍ଦେହ କରୁଥିଲା । ହେଲେ ସିସିଟିଭି ଚିତ୍ର କିଛି ଅଲଗା ବୟାନ କରିଥିଲା । ପୋଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ଆତ୍ମହତ୍ୟା ହୋଇଥାଏପାରେ ବୋଲି ସନ୍ଦେହ କରିଥିଲା । ଘଟଣାସ୍ଥଳରେ ପୋଲିସ ଛାନଭିନ ମଧ୍ୟ କରିଥିଲା । ତେବେ ଏହା ଏକ ଆତ୍ମହତ୍ୟା ନା ସୁକଳ୍ପିତ ହତ୍ୟାକାଣ୍ଡ ତାକୁ ନେଇ ପୋଲିସ ଏବେ ତଦନ୍ତ ଚଲାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ