ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପାଖାପାଖି ୪ ବର୍ଷ ଧରି ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର ପୌର ନିର୍ବାଚନ ବନ୍ଦ କରି ରଖିଛନ୍ତି । କୌଣସି କାରଣ ନଥାଇ ନିର୍ବାଚନ ବନ୍ଦ କରାଯାଇଛି । ରାଜ୍ୟ ସରକାର ନିର୍ବାଚନକୁ ଡରୁଥିଲେ । ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନରେ ମଧ୍ୟ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି ।
ପୌର ନିର୍ବାଚନ ନେଇ ବିରୋଧୀ ବିଜେପି ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା । ନ୍ୟାୟାଳୟ ଏହି ସନ୍ଦର୍ଭରେ ନୋଟିସ କରି ଉତ୍ତର ମାଗିବା ପରେ ସରକାର ଏକ ଛଦ୍ମ ତତ୍ପରତା ଦେଖାଇଥିବା ବିଜେପି ଅଭିଯୋଗ କରିଛି । ସାଧାରଣ ଲୋକ ଗଣତାନ୍ତ୍ରିକ ପ୍ରକ୍ରିୟାର ଲାଭ ପାଆନ୍ତୁ । ପୌର ନିର୍ବାଚନ ହେଉନଥିବାରୁ ଅଣନିର୍ବାଚିତ ସମିତି ଗୁଡ଼ିକୁ କେନ୍ଦ୍ରିୟ ସହାୟତା ମିଳି ପାରୁନାହିଁ । ପୌରସଂସ୍ଥା ଗୁଡ଼ିକରେ ବ୍ୟାପକ ଅରାଜକତା ସୄଷ୍ଟି ହେଉଛି । ଅଞ୍ଚଳର ବିକାଶ ବ୍ୟାହତ ହେଉଛି । ପୌର ନିର୍ବାଚନରେ ରାଜ୍ୟ ସରକାର ଯେଉଁ ଖେଳ ଖେଳୁଥିଲେ ତାହାର ଗୋଟିଏ ଅନ୍ତ ଘଟିବ। ନିର୍ବାଚନ ହେବା ପର୍ଯନ୍ତ ଲଢେ଼ଇ ଜାରି ରହିବ ଏବଂ ନ୍ୟାୟାଳୟ ଜରିଆରେ ହେଉ ବା ଜନମତ ଜରିଆରେ ସରକାରଙ୍କ ଉପରେ ଚାପ ସୄଷ୍ଟି କରିବୁ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ପୌର ନିର୍ବାଚନ ନେଇ ସରକାର ଭୟଭୀତ ଥିଲେ । ସାଧାରଣ ଲୋକ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସେବା ପାଉନଥିଲେ । ବିଭିନ୍ନ ରାଜନୈତିକ ଦଳର ଚାପରେ ଓ କୋର୍ଟ ନିର୍ଦ୍ଦେଶ ପରେ ସରକାର ଚାପଗ୍ରସ୍ତ ହୋଇ ନିର୍ବାଚନ କରିବା ପାଇଁ ଯାଉଛନ୍ତି । ଆମେ ତାକୁ ସ୍ବାଗତ କରୁଛୁ । ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା ସ୍ବଚ୍ଛତାର ସହ ହେଉ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଉ । ଯଦି କୌଣସି ବାହାନା କରି ନିର୍ବାଚନ ବନ୍ଦ କରିବାକୁ ଚେଷ୍ଟା କରନ୍ତି ତେବେ ସାଧାରଣ ଲୋକଙ୍କ ସ୍ବର ତୀବ୍ର ହେବ । ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ପାରୁନି ସାଧାରଣ ଜନତାଙ୍କ ସ୍ବାର୍ଥ ଚିନ୍ତା ନକରି ସରକାରୀ ଅଧିକାରୀମାନେ ଦୁର୍ନୀତି କରୁଛନ୍ତି । ସରକାର ନିର୍ବାଚନକୁ ଯିବେ ବୋଲି କଂଗ୍ରେସ ଆଶା କରିଛି । ପୌର ନିର୍ବାଚନ ପାଇଁ କଂଗ୍ରେସ ଦଳ ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ