ଭୁବନେଶ୍ବର: ଓଡିଆ ନବ ବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି,‘ପବିତ୍ର ଓଡିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି)ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡିଶାବାସୀ ତଥା ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷଟି ସମସ୍ତଙ୍କ ପାଇଁ ସୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।’
ସେହିପରି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି ଟ୍ବିଟ୍ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଦିନ କୋରୋନା ବିରୋଧରେ ବିଜୟ ସଂକଳ୍ପ ଦିବସ ହେଉ ବୋଲି ସେ ଜନ ସାଧରଣଙ୍କୁ ଆହ୍ବାନ କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ସମସ୍ତଙ୍କୁ ଓଡିଆ ନବ ବର୍ଷ ଅବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କୋରୋନା ମୁକାବିଲା ପାଇଁ ଶକ୍ତି ଦେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ