ଭୁବନେଶ୍ବର: ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଶ୍ବାଶ୍ବତ ଯୋଶୀଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଶିଷ୍ୟା । ଅଭିଯୋଗ ଆସିବା ପରେ ନୃତ୍ୟ ଜଗତରେ ଆଲୋଡନ ଦେଖାଦେଇଛି । ଜଣେ ପ୍ରତିଷ୍ଠିତ ନୃତ୍ୟଗୁରୁଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଛି । ଅଭିଯୋଗ କରିଛନ୍ତି ଜଣେ ଶିଷ୍ୟା ।
ଶିଷ୍ୟା ଜଣକ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ଶାଶ୍ବତ ଯୋଶୀ ଦେଖିବାକୁ ଯେମିତି ପ୍ରକୃତରେ ସେମିତି ନୁହଁନ୍ତି ବୋଲି କହିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି କୌଣସି ନୃତ୍ୟରେ କିଛି ଭୁଲ ହେଲେ ଯୋଶୀ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥାନ୍ତି ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି ଗୁରୁ ହିସାବରେ ମାଡ ମାରିବା ଠିକ କିନ୍ତୁ ଅକଥନୀୟ ନିର୍ଯ୍ୟାତନା ଦେବା କେତେ ଦୂର ଠିକ ବୋଲି ପ୍ରଶ୍ନ ଉଠାଇଛନ୍ତି । ଅଭିଯୋଗ କରିଥିବା ଶିଷ୍ୟା ଜଣଙ୍କ କହିଛନ୍ତି ସେ ୨୦୧୫ ମସିହାରେ ଶାଶ୍ଵତ ଯୋଶୀଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ଶାଶ୍ଵତ ଯୋଶୀଙ୍କ ଖ୍ୟାତି ଥିବା ଜାଣି ଜଣେ ଭଲ ଗୁରୁ ଭାବି ଯୋଗ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନୃତ୍ୟ ଗୁରୁ ଶାଶ୍ଵତ ତାଙ୍କୁ ମାନସିକ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଖାଲି ତାଙ୍କୁ ନୁହେଁ ଅନେକ ଝିଅଙ୍କୁ ସେ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ବୋଲି କହିଛନ୍ତି । ଶିଷ୍ୟା ଜଣଙ୍କ ସମସ୍ତ ଘଟଣାକୁ ତାଙ୍କ ଫେସବୁକରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ