ଭୁବନେଶ୍ବର: ଅକ୍ଟୋବର 9 ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ ଏବଂ ଏହି କ୍ଷେତ୍ର କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ଅକ୍ଟୋବର ୧୩ ବେଳକୁ ଏହା ଉତ୍ତର-ପଶ୍ଚିମ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହାର ପ୍ରଭାବରେ ୧୧ ଅକ୍ଟୋବରରୁ ୧୩ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ୬ ଅକ୍ଟୋବର ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଭୁବନେଶ୍ୱର ଓ କଟକ ଟ୍ବିନ ସିଟିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
![ସେପ୍ଟେମ୍ବର ୯ରେ ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷାର ପରିମାଣ](https://etvbharatimages.akamaized.net/etvbharat/prod-images/9060482_920_9060482_1601906425163.png)
ସେହିପରି ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ସର୍ବାଧିକ ୧୫୪.୦ ମିମି ବର୍ଷା ରେକର୍ଡ କରାଯାଇଛି । କୋମନାରେ ୯୩.୨ ମିମି, କୋରାପୁଟ ଜିଲ୍ଲା ଲମତାପୁଟରେ ୭୮.୦ ମିମି, କୋଟପାଡରେ ୭୮.୦ ମିମି, ନିଆଳି ୬୮.୦ ମିମି ବର୍ଷା ରେକର୍ଡ କରାଯାଇଛି ।
![ସେପ୍ଟେମ୍ବର ୯ରେ ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷାର ପରିମାଣ](https://etvbharatimages.akamaized.net/etvbharat/prod-images/9060482_440_9060482_1601906409105.png)
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ