ଭୁବନେଶ୍ବର: ୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ରିଟେଲର ସଂଘ । ୧୦ ହଜାରରୁ ଉର୍ଦ୍ଧ୍ବ ରିଟେଲର ମାନେ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୫ ମାସର ପାରିଶ୍ରମିକ ପ୍ରଦାନ, ଇ-ପୋଶ ମେସିନରେ ବ୍ୟବହାରିକ ଅର୍ଥ ପ୍ରଦାନ, ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଇଦେବା, ମୃତ୍ୟୁବରଣ କରିଥିବା ରିଟେଲର ପରିବାର ସଦସ୍ୟଙ୍କୁ ପୁନଃ ରିଟେଲ ପ୍ରଦାନ ଆଦି ଦାବି କରିଛି ସଂଘ ।
ତେବେ ରାଜ୍ୟ ସରକାର ଏହି ଦାବିକୁ ପୂରଣ କରି ସଂଘର ସମସ୍ୟା ଦୂର କରିବେ ବୋଲି ସଂଘର କର୍ମକର୍ତ୍ତା ସୂଚନା ଦେଇ କହିଛନ୍ତି । ଏନେଇ ରାଜ୍ୟ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସମାବେଶରେ ଦାବି ନେଇ ସରକାରଙ୍କୁ ଅବଗତ କରାଯାଇଛି । ୨୦୧୭ରୁ ସରକାରଙ୍କୁ ନିଜର ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ତାହା ପୂରଣ ହେଉନଥିବା ଅଭିଯୋଗ ହୋଇଛି ।
ତେଣୁ ଏଥର ସରକାର ଯଦି ଦାବି ଉପରେ କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ଆଗାମୀ ନିର୍ବାଚନରେ ସରକାରଙ୍କୁ କଡା ଜବାବ ସଙ୍ଘ ଦେବ ବୋଲି ଚୋତାବନୀ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର