ଭୁବନେଶ୍ବର: ରାଜ୍ୟରେ 6 ହଜାରରୁ ଉର୍ଦ୍ଧ୍ବ ଘରୋଇ ବିଦ୍ୟାଳୟର ସୁରକ୍ଷା ଦାବିରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ l ରାଜ୍ୟ ସରକାରଙ୍କୁ 5ଦଫା ଦାବି ଜଣାଇଲେ ଓଡିଶା ଘରୋଇ ସ୍କୁଲ ସଙ୍ଘ । ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ସ୍ୱୀକୃତି ପାଇଥିବା ଘରୋଇ ବିଦ୍ୟାଳୟଗୁଡିକର ପୁନଃ 3ବର୍ଷ ସ୍ୱୀକୃତି ପ୍ରଦାନ କରିବାକୁ ମୁଖ୍ୟ ଦାବି ରଖିଛି ସଙ୍ଘ ।
ଏଥିସହ ବିନା ଟିସିରେ ସରକାରୀ ବିଦ୍ୟାଳୟଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ନାମଲେଖା, ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ପୂର୍ବରୁ ତୁରନ୍ତ ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଖୋଲିବା, କୋରୋନାରେ ଗତ 2 ବର୍ଷର ଭୟାବହତାକୁ ନେଇ ଘରୋଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ 25% ମାଗଣା ଶିକ୍ଷାର ପ୍ରାପ୍ୟ ଦେବାପାଇଁ ସରକାରୀ ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଉପରୋକ୍ତ ବ୍ୟବସ୍ଥା ଲାଗୁପାଇଁ ଉଦାସୀନ ବୋଲି ଜଣାଇଛନ୍ତି ।
ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ ବୋଲି ସରକାରଙ୍କ ପାଖରେ ଦାବି କରିଛି ସଙ୍ଘ । ସେପଟେ ଯଦି ରାଜ୍ୟ ସରକାର ଏହି ପ୍ରସଙ୍ଗ ଉପରେ କୌଣସି ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ସଙ୍ଘ ପ୍ରତିବାଦ କରିବା ସହ ଗଣଧାରଣା ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ