ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ପୋର୍ଟାଲ (Swayam portal) ରୁ ଓଡ଼ିଆ ଭାଷା ବାଦ ପଡିଛି । ଏ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ ଓ ଶିକ୍ଷାବିତ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଏ ବିଷୟରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଚିଠି ଲେଖାଯିବ ବୋଲି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।
ଅନୁବାଦକଙ୍କ ଅଭାବରୁ ଓଡ଼ିଆ ଭାଷାକୁ ବାଦ୍ ଦିଆଯାଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ କେନ୍ଦ୍ରକୁ ଚିଠି ଲେଖି ଯଥାଶୀଘ୍ର ଓଡ଼ିଆ ଭାଷାକୁ ସ୍ବୟଂ ପୋର୍ଟାଲରେ ସାମିଲ କରିବାକୁ ଅନୁରୋଧ କରିବେ କହିଛନ୍ତି ମନ୍ତ୍ରୀ ବେହେରା ।
କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି । କୋଭିଡ ସମୟରେ ଅନଲାଇନ ଶିକ୍ଷାର ବହୁ ପ୍ରଚାର ଓ ପ୍ରସାର ହୋଇଛି । ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର କରୁଛନ୍ତି । ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଅଧିକ ନିର୍ଭରଶୀଳ । ଏହା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମ ସ୍ବୟଂରେ ପଢ଼ାଯାଉଥିଲା ।
ଗତବର୍ଷ ନିଷ୍ପତ୍ତି ହୋଇଥିଲା ଯେ 10ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ । ହେଲେ AICTE (All India Council for Technical Education) ଏଥର ଓଡ଼ିଆକୁ ବାଦ ଦେଇଛି । ଯାହା ଏକ ପରିତାପର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି । ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କୋଭିଡ ସମୟରେ ଅନଲାଇନ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ ଦିଗରେ IT ବିଭାଗ କାମ କରୁଛି । ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ କାହିଁକି ବାଦ ଦିଆଗଲା, ସେ ଉତ୍ତର କେନ୍ଦ୍ର ସରକାର ଦିଅନ୍ତୁ ବୋଲି ରାଜ୍ୟରେ ଦାବି ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ