ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର । ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ(BRAP)ର ‘ଆଚିଭର୍ସ’ ଶ୍ରେଣୀରେ ସ୍ଥାନ ପାଇଛି ଓଡିଶା । ଏଥିପାଇଁ ଟପ୍ ଆଚିଭର୍ସ, ଆଚିଭର୍ସ, ଅସ୍ପାୟାର୍ସ ଏବଂ ଇମର୍ଜିଙ୍ଗ ବିଜନେସ୍ ଇକୋସିଷ୍ଟମ୍ ଭଳି ଚାରୋଟି ଶ୍ରେଣୀ ରଖାଯାଇ ଥିବାବେଳେ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି । ରାଜ୍ୟ ସରକାରଙ୍କର ଭିତ୍ତିଭୂମିର ବିକାଶ ଓ ବ୍ୟବସାୟ ଉପଯୋଗୀ ପରିବେଶ ରାଜ୍ୟକୁ ସଫଳତା ଯୋଗାଇଛି ।
ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ ଆଧାରରେ ଓଡ଼ିଶା BRAP ର ‘ଆଚିଭର୍ସ’ ଶ୍ରେଣୀରେ ସ୍ଥାନ ପାଇଛି । ଏହି ତାଲିକାରେ ଅନ୍ୟ ବିକଶିତ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ଟପ୍ ଆଚିଭର୍ସ ରାଜ୍ୟ ତାଲିକାରେ ଅଛନ୍ତି । ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତର ପ୍ରଦେଶ ପରି ବଡ଼ ରାଜ୍ୟ ସହିତ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି । ଆସାମ, ଛତିଶଗଡ, ଗୋଆ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ମହତ୍ୱାକାଂକ୍ଷୀ(ଆସ୍ପିରର୍ସ) ଶ୍ରେଣୀରେ ରହିଛନ୍ତି ।
ଆଣ୍ଡାମାନ ଏବଂ ନିକୋବର, ବିହାର, ଚଣ୍ଡୀଗଡ, ଡାମନ ଏବଂ ଡିୟୁ, ଦାଦ୍ରା ଏବଂ ନଗର ହାବେଳି, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରାକୁ ଇମର୍ଜିଂ ବିଜନେସ୍ ଇକୋସିଷ୍ଟମ୍ ଶ୍ରେଣୀରେ ରଖା ଯାଇଛି । ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ(ବିଆର୍ଏପି), ୨୦୨୦ ଅନୁସାରେ ଏହାର ପଞ୍ଚମ ସଂସ୍କରଣରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣାଗୁଡିକ ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍, ଡିପିଆଇଆଇଟି ସଚିବ ଅନୁରାଗ ଜୈନ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କର ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୧୯୯୧ ପର ଠାରୁ ସଂସ୍କାରର ପ୍ରକୃତିରେ ପରିବର୍ତ୍ତନ ଆସିଛି । ଏବେ ଯେଉଁ ସଂସ୍କାର ହେଉଛି, ସେସବୁ ପ୍ରତିକ୍ରିୟାତ୍ମକ ସଂସ୍କାର ଅଟେ । ୧୯୯୧ର ସଂସ୍କାର ପରି, ଯାହା ଆମକୁ କାର୍ଯ୍ୟକାରୀ କରିବା ପାଇଁ ଦିଆ ଯାଇଥିଲା, ଏବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ । ଆମର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତ ଜୀବନ ସୁନିଶ୍ଚିତ କରିବା । ସରକାରଙ୍କର ସମସ୍ତ ସ୍ତରରେ ପରୋକ୍ଷରେ ଚାପ ଦେବା (ନଜିଂ) ଭଳି ଏକ ଉପାଦାନ ଅଣାଯାଇଛି । ନଜିଂ କେବଳ ସରକାରଙ୍କ ଦ୍ୱାରା କରାଯାଇ ପାରିବ ନାହିଁ, ଉଦ୍ୟୋଗଗୁଡିକୁ ମଧ୍ୟ ସେଥିରେ ବଡ ଭୂମିକା ନିର୍ବାହ କରିବାକୁ ପଡିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । ଅର୍ଥ ମନ୍ତ୍ରୀ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ ଅନୁସାରେ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ ଢାଞ୍ଚାରେ କରାଯାଇଥିବା ପରିବର୍ତନ ଗୁଡିକର ପ୍ରଶଂସା କରିଛନ୍ତି ।ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ୍ କହିଛନ୍ତି ଯେ, ଏହି ଆକଳନ ତଥ୍ୟ- ଆଧାରିତରୁ ଆରମ୍ଭ ହୋଇ ବହୁଭାଷୀ ପ୍ରାରୂପରେ ୧୦୦% ପ୍ରତିକ୍ରିୟାର ଆଧାରକୁ ନେଇ ବିକଶିତ ହୋଇଛି । ସେ ଆହୁରି କହିଛନ୍ତି ଯେ, ଏହି ବିଆର୍ଏପି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ପରସ୍ପରର ସର୍ବୋତ୍ତମ ପ୍ରଥାଗୁଡିକରୁ ଶିଖିବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଭାରତକୁ ସାରା ବିଶ୍ୱରେ ସବୁଠାରୁ ପସନ୍ଦଯୋଗ୍ୟ ନିବେଶ ସ୍ଥାନ ଭାବରେ ମୁଣ୍ଡ ଟେକିବା ପାଇଁ ଏକ ଏକୀକୃତ ଉଦ୍ଦେଶ୍ୟ ସହିତ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ପରିବେଶରେ ସଂସ୍କାର ଆଣିବା ।
୨୦୧୪ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେ ଫଳ ଦେବା ଆରମ୍ଭ କରିଛି । ବ୍ୟବସାୟ କରିବାରେ ସୁଗମତା କିଛି ଅଞ୍ଚଳ, କିଛି ସହର ଏବଂ କିଛି ବ୍ୟବସାୟ ଭିତରେ ସୀମିତ ହେବା ବଦଳରେ, ଏହାକୁ ପ୍ରତିଯୋଗିତାମୂଳକ ସଂଘୀୟ ଏବଂ ସହଯୋଗର ଭାବନା ମାଧ୍ୟମରେ ମଧ୍ୟ ସମ୍ପୂର୍ଣ୍ଣ ଦେଶରେ ପ୍ରତିଫଳିତ ହେଉଛି ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ କହିଛନ୍ତି । ଡିପିଆଇଆଇଟିର ସଚିବ ଅନୁରାଗ ଜୈନ କହିଛନ୍ତି ଯେ, ବିଆର୍ପିଏ ୨୦୨୦ରେ ୧୫ ବ୍ୟବସାୟୀକ ନିୟାମକ କ୍ଷେତ୍ରଗୁଡିକ ସୂଚନା ପର୍ଯ୍ୟନ୍ତ ପହଞ୍ଚିବା, ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍, ଶ୍ରମ, ପରିବେଶ, ଭୂମି ପ୍ରଶାସନ ଏବଂ ସମ୍ପତ୍ତିର ହସ୍ତାନ୍ତରଣ, ଉପଯୋଗିତା ଅନୁମତି ଏବଂ ଅନ୍ୟାନ୍ୟକୁ ପରିସରଭୁକ୍ତ କରାଯାଇଥିବା ୩୦୧ ସଂସ୍କାର ପଏଣ୍ଟ ସାମିଲ୍ ।
ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼େଇବା ପାଇଁ ୧୧୮ଟି ସଂସ୍କାରକୁ ସାମିଲ୍ କରାଯାଇଛି । ସଂସ୍କାର ଏଜେଣ୍ଡା/କାର୍ଯ୍ୟସୂଚୀର ସୀମାକୁ ବିସ୍ତାର କରିବା ନିମନ୍ତେ ପ୍ରଥମ ଥର ବାଣିଜ୍ୟ ଅନୁମତି, ସ୍ୱାସ୍ଥ୍ୟସେବା, ଲିଗାଲ ମେଟ୍ରୋଲୋଜି, ସିନେମା ହଲ୍, ଆତିଥ୍ୟେୟତା, ଫାୟାର ଏନ୍ଓସି, ଟେଲିକମ୍ ଏବଂ ପର୍ଯ୍ୟଟନ ଭଳି ୯ଟି କ୍ଷେତ୍ରଗୁଡିକରେ ବ୍ୟାପୀ ହୋଇ ରହିଥିବା ୭୨ ପଏଣ୍ଟ ସହିତ ଆଞ୍ଚଳିକ ସଂସ୍କାର ଆରମ୍ଭ କରାଯାଇଥିଲା । ନିବେଶକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା, ବ୍ୟବସାୟ ଅନୁକୂଳ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ ସଂସ୍କାର କର୍ମ ଯୋଜନାର କାର୍ଯ୍ୟନ୍ୱୟନ ପାଇଁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆଧାର କରି ରାଜ୍ୟଗୁଡିକର ମୂଲ୍ୟାଙ୍କନ ପ୍ରଣାଳୀ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତାର ଏକ ଉପାଦାନ ଉପସ୍ଥାପନ କରି ସାରା ଦେଶରେ ବ୍ୟବସାୟକୁ ସୁଗମ କରିବା ଏହାର ଉଦ୍ଦେଶ୍ୟ ।
ଇଟିଭି ଭାରତ, ଭୁବନେଶ୍ବର