ଭୁବନେଶ୍ବର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ଅଫଲାଇନ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ଓଡିଶା ମାନବାଧିକାର କମିଶନ (OHRC) । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ କମିଶନଙ୍କ ନିର୍ଦେଶ । ଅଗଷ୍ଟ ୬ରେ ଘଟଣାର ପରବର୍ତ୍ତୀ ଶୁଣାଣି କରିବେ କମିଶନ ।
ଚଳିତ ବର୍ଷ କୋରୋନା ମହାମାରୀ ଯୋଗଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ମାର୍କ ଆଧାରରେ ଫଳାଫଳ ପ୍ରକାଶ କରିଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ଭୁଲ ଯୋଗୁଁ ରାଜ୍ୟର ୧୩୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରିନଥିଲା । ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏହା ପରେ ଏହାକୁ ନେଇ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକାର କମିଶନର ଦ୍ବାରସ୍ଥ ହୋଇଥିଲେ । ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ସୂଚନାଥାଉକି ଓଡିଶା ମାଧ୍ୟମିକ ପରିଷଦ 139 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରି ନାହିଁ । ଯାହା ପରେ ମାନବାଧିକାର କର୍ମୀ ମନୋଜ ଜେନା OHRCରେ ଏକ ପିଟିସନ ଦାଖଲ କରିଥିଲେ । ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଯେ ଭଳି ଫଳାଫଳ ପ୍ରକାଶ କରାଗଲା, ସେହିଭଳି ଏହି ଦିବ୍ୟାଙ୍ଗ ଛାତ୍ର ୃଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଁ ଦାବି କରିଛନ୍ତି ।
ଜେନା ଆଜି ତାଙ୍କ ପିଟିସନରେ କହିଛନ୍ତି ଯେ କମିଶନଙ୍କ ଅନ୍ତିମ ନିର୍ଦ୍ଦେଶକୁ ଅପେକ୍ଷା ନକରି ମାଧ୍ୟମିକ ଶିକ୍ଷା ବୋର୍ଡ ଜୁଲାଇ 30 ରୁ ଅଫଲାଇନ୍ ମୋଡରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିଶନ । ଜେନା ଯୁକ୍ତି ବାଢିଛନ୍ତି ଯେ ବୋର୍ଡ କି ଭଳି ଏଭଳି ନିଷ୍ପତ୍ତି ନେଇଛି ଯାହା 'କେବଳ ମନମୁଖୀ ନୁହେଁ ବରଂ କୋଭିଡ -19 ମହାମାରୀ ପରିସ୍ଥିତିରେ ଭିନ୍ନକ୍ଷମ ଛାତ୍ରମାନଙ୍କୁ ବହୁ ଅସୁବିଧାରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ