ଭୁବନେଶ୍ବର: ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କେତେ ଯୋଜନାକୁ ନେଇ ସମର୍ଥନ କରୁଥିବା କେତେକ ଯୋଜନାକୁ ସମର୍ଥନ କରୁନାହାନ୍ତି । ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଅଗ୍ନିପଥ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ।
ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ଅଗ୍ନିପଥ ଯୋଜନାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, "ଅଗ୍ନିପଥ ଯୋଜନା ଏକ ଅସ୍ଥାୟୀ ନିଯୁକ୍ତି ପ୍ରକିୟା । ପରେ ସ୍ଥାୟୀ ହେବାକୁ ହେଲେ ପୁଣି ଥରେ ଆଶାୟୀଙ୍କୁ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବାକୁ ପଡିବ, ପୁଣି ଥରେ ନିଜର ସାମର୍ଥ୍ୟ ପ୍ରମାଣିତ କରିବାକୁ ପଡିବ, ସେଥିପାଇଁ ଏହି ବିରୋଧ ହେଉଛି । ଆଶା କରୁଛି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ଯୁବବର୍ଗଙ୍କୁ ୧୭, ୧୮ ବର୍ଷ ବୟସରେ ନିଯୁକ୍ତି ମିଳୁଛି, ୪ ବର୍ଷ ପାଇଁ ହେଉ ପଛେ ନିଯୁକ୍ତି ମିଳୁଛି । ଚାକିରୀ ସାରି ଫେରିବା ପରେ ସେମାନଙ୍କୁ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ବିଭାଗରେ ଚାକିରୀ କରି ପାରିବେ ।"
ଅଗ୍ନିବୀରଙ୍କୁ ଅଗ୍ରାଧିକାର ପ୍ରସଙ୍ଗ
ପୋଲିସ ସେବା କ୍ଷେତ୍ରରେ ଅଗ୍ନିବୀରଙ୍କୁ ଆଗ୍ରାଧିକାର ପ୍ରସଙ୍ଗକୁ ନେଇ ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ, "ସେମିତି କିଛି ପଲିସି ଆସିନାହିଁ ବା ନିଷ୍ପତ୍ତି ନିଆଯାଇନାହିଁ । ସ୍କୁଲ କଲେଜରେ ଏନସିସି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପୋଲିସ ସେବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଏ । ତେଣୁ ମୁଁ ଆଶା କରୁଛି ଅଗ୍ନିବୀର ଚାରିବର୍ଷ ଚାକିରୀ ସାରି ଆସିବା ପରେ ସେମିତି ଏକ ପଲିସିରେ ଅଗ୍ରାଧିକାର ପାଇବେ । ଯାହାଦ୍ୱାରା ସେମାନେ ଆଗକୁ ସୁବିଧା ପାଇପାରିବେ । ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ, ରାଜ୍ୟ ଏନେଇ ବିଚାର ବିମର୍ଶ କରିବ । ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ଯାହା ଉଚିତ ହେବ ସେନେଇ ଆମେ ନିଷ୍ପତ୍ତି ନେବୁ ।
ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶରେ ମୋଟ ୧୨ଟି ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ତା ସହିତ ୨୧୪ଟି ଟ୍ରେନ୍କୁ ବାତିଲ କରିବାକୁ ପଡ଼ିଲା । ୯୦ଟି ଟ୍ରେନ୍ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିଲେ ନାହିଁ । ଅଚାନକ ହଜାରହଜାର ଯୁବବର୍ଗ ହିଂସାକାଣ୍ଡରେ ଲିପ୍ତ ରହିଥିଲେ । ତେବେ ବିରୋଧ ପ୍ରଦର୍ଶନ କରି ଦେଶର ସମ୍ପତ୍ତି ନଷ୍ଟ କରୁଥିବା ଆଶାୟୀଙ୍କୁ ସେନାରେ ସ୍ଥାନ ଦିଆଯିବ ନାହିଁ ବୋଲି କହିଛନ୍ତି ସେନା ବ୍ୟାପାର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ୍ ଅନିଲ ପୁରୀ ।