ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଓଡିଶା । ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତବୟସ୍କଙ୍କ ଯାଏଁ ସମସ୍ତଙ୍କ ଟୀକାକରଣ ଜାରି ରହିଛି । ମାତ୍ର ଏପର୍ଯ୍ୟନ୍ତ ଶିଶୁଙ୍କ ଟୀକାକରଣ ହୋଇପାରିନାହିଁ । ତୃତୀୟ ଲହର ଶିଶୁଙ୍କ ପାଇଁ ଅଧିକ ଘାତକ ହେବ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ସେମାନଙ୍କ ଟୀକାକରଣ ନ ହେବା ଚିନ୍ତା ବଢାଇଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାରେ ଟାସ୍କ ଫୋର୍ସ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଉଚ୍ଚ ମନିଟରିଂ ଏବଂ କଲେକ୍ଟରଙ୍କ ତତ୍ତ୍ବାବଧାନରେ ଓ ସିଡିଏମଓଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାରେ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିର ସଦସ୍ୟମାନେ ନିୟମିତ ଭାବରେ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବେ । ଏନେଇ ଜିଲ୍ଲାର ସମ୍ପୃକ୍ତ କଲେକ୍ଟରମାନେ ଏକ ସପ୍ତାହ ମଧ୍ୟରେ ଗୋଟିଏ ବୈଠକ କରିବେ ।
ଯେହେତୁ ଛୋଟ ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ସମ୍ଭାବନା ଅଧିକ ତେଣୁ ଉଚ୍ଚସ୍ତରୀୟ ପରିଚାଳନା ଏବଂ ଦକ୍ଷତା ବିକାଶ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତେ ଜିଲ୍ଲାପାଳ ଓ ମେଡ଼ିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସମସ୍ତ ଶିଶୁ ରୋଗ ତାଲିକାଭୁକ୍ତ କରିବାକୁ ମଧ୍ୟ କୁହାଯାଇଛି । ସନ୍ଦିଗ୍ଧ ପଜିଟିଭ୍ ସ୍କ୍ରିନିଂ ଲାଗି RT-PCR ପରୀକ୍ଷା ପାଇଁ 0 ରୁ 18 ବର୍ଷ ବୟସର ପିଲାମାନଙ୍କର ସ୍ୱାବ ସଂଗ୍ରହ ନିଶ୍ଚିତ କରାଯିବ । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ