ଭୁବନେଶ୍ବର: ବ୍ରିଜ୍ କୋର୍ସ ଦ୍ବାରା ଭରଣା ହେବ ପାଠପଢ଼ା । କୋରୋନା ସମୟରେ ପାଠପଢ଼ାର କ୍ଷତି ଭରଣା ପାଇଁ ଟେଣ୍ଡର ପକ୍ରିୟା ଚାଲିଛି । ବ୍ରିଜ କୋର୍ସ ଦ୍ବାରା ପାଠପଢା ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏଥିରେ ଇଂରାଜୀ, ଗଣିତ ଓ ବିଜ୍ଞାନ ପରୀକ୍ଷାକୁ ଗୁରୁତ୍ବ ଦିଆଯିବାକୁ ଥିବା ବେଳେ ତୃତୀୟ ପକ୍ଷ ଏଜେନ୍ସି ଏହାର ଦାୟିତ୍ବ ନେବେ । ଏଥିରୁ ପ୍ରାୟ ୪୧ ଲକ୍ଷ ପିଲା ଉପକୃତ ହେବେ ବୋଲି ଜଣାପଡ଼ିଛି ।
ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଶିକ୍ଷା ବର୍ଷର ପାଠପଢ଼ା ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା । ଏବେ ଏହାକୁ ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାଦିନ ଛୁଟିକୁ ସୀମିତ କରି ପିଲାଙ୍କ ପାଇଁ ବ୍ରିଜ୍ କୋର୍ସ କରାଯିବ। ଯେଉଁ ଦୁଇ ବର୍ଷର ପାଠପଢ଼ା ଅଧାପନ୍ତରିଆ ରହିଛି, ତାକୁ ଏହି ସମୟରେ ଭରଣା କରାଯିବ। ପ୍ରତ୍ୟେକ ଜିଲ୍ଲାରେ ପ୍ରତି ବିଷୟ ପାଇଁ ୫୦ ଜଣ ଶିକ୍ଷକ ଅର୍ଥାତ ମୋଟ ୧୫୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ଏଜେନ୍ସି ।
ପ୍ରତି ଶ୍ରେଣୀରେ ୩୫ରୁ ୪୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିବେ। ସପ୍ତାହରେ ପ୍ରତ୍ୟେକ ବିଷୟରେ ୪ ଲେଖାଏଁ କ୍ଲାସ ହେବ ବୋଲି ସୂଚନା। ଇଂରାଜୀ, ଗଣିତ ଓ ବିଜ୍ଞାନ ପାଇଁ ସପ୍ତାହରେ ହେବ ମୋଟ ୧୨ଟି କ୍ଲାସ । ପ୍ରତି କ୍ଲାସର ସମୟ ସୀମା ରହିବ ୧ ଘଣ୍ଟା । ମେ ପହିଲାରୁ ଯେଉଁ ପାଠ ପଢ଼ାଯିବ ତାହା ପିଲାଙ୍କ ରନିଂ ରିକଭରି କୋର୍ସ ବା ବ୍ରିଜ କୋର୍ସ ବୋଲି କୁହାଯିବ। ବିଶେଷ ଭାବରେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଉପରେ ଫୋକସ କରାଯିବ। ଏଥିରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଥାର୍ଡ ପାର୍ଟିର କିଛି ଶିକ୍ଷକ ପାଠ ପଢ଼ାଇବେ। ଯେହେତୁ ଶିକ୍ଷକଙ୍କ ରେଗୁଲାର କ୍ଲାସ ରହିବ ତେଣୁ ରିକଭରି କ୍ଲାସ କରିବା ସବୁ ସମ୍ଭବ ନୁହେଁ।
ଏନେଇ ଟେଣ୍ଡର ପ୍ରକ୍ରିୟା ଚାଲିଛି । କେତେ ସଂଖ୍ୟା ରହିବେ ତାହା ଆଗାମୀ ଦିନରେ ଜଣାପଡିବ ବୋଲି କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାକୁ ନେଇ ଓଷ୍ଟାର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ଯେ କୋରୋନା କାଳରେ ପିଲାଙ୍କର ଶିକ୍ଷା କ୍ଷେତ୍ରରେ ଅହେତୁକ କ୍ଷତି ସହିଛନ୍ତି । ଏହି ବ୍ରିଜ କୋର୍ସ ମାଧ୍ୟମରେ ପିଲାଙ୍କର ଶିକ୍ଷଣ ଦକ୍ଷତା ବଢିବାର ସମ୍ଭାବନା ରହିଛି । ତେବେ ପୂର୍ବରୁ ଅଷ୍ଟମ ନବମ ଏବଂ ଦଶମ ଶ୍ରେଣୀ ପିଲାମାନେ ଅଫଲାଇନରେ ଏବଂ ଅନଲାଇନରେ ପାଠପଢା କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ