ଭୁବନେଶ୍ବର: 2019-20 ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ ପୂର୍ବରୁ ଅର୍ଥ ବିଭାଗ ସାଧାରଣ ଲୋକ, ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ସେମାନଙ୍କ ସୁଚିନ୍ତିତ ମତାମତ ମାଗିଛନ୍ତି । ଓଡିଶା ସରକାରଙ୍କ ଏକ ସ୍ଵତନ୍ତ୍ର ପୋର୍ଟାଲ Budget.Odisha.govt.in ଜରିଆରେ ଜନସଧାରଣ ମତାମତ ଦେଇପାରିବେ । ଏହାଛଡା ହ୍ବାଟ୍ସ ଆପ୍ ଓ ଏସଏମଏସ କରି ମଧ୍ୟ ନିଜ ମତାମତ ଦେଇପାରିବେ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସାଧାରଣ ଜନତାଙ୍କ ସହଭାଗିତାରେ ବଜେଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଏହା ସହ ଇ-ମେଲ୍ ଓ ଏସଏମଏସ୍ ମାଧ୍ୟମରେ ମଧ୍ୟ ମତାମତ ଗ୍ରହଣ କରାଯାଉଛି । ବଜେଟ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ରହିଛି ।
ବର୍ତ୍ତମାନ ୨୦୧୯-୨୦ ବାର୍ଷିକ ବଜେଟ ପାଇଁ ଅର୍ଥ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରକ୍ରିୟା ହାତକୁ ନିଆଯାଇଛି । ବଜେଟ୍ ପ୍ରସ୍ତୁତି ନିମନ୍ତେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ସେମାନଙ୍କ ପରାମର୍ଶ ଇ-ମେଲ ଦ୍ବାରା ଦେଇପାରିବେ । ଏହା ସହିତ ବଜେଟ୍ ସମ୍ବନ୍ଧୀୟ ମତାମତ ହ୍ବାଟସ୍ ଆପ୍, ଏସ୍ଏମ୍ଏସ୍ ମାଧ୍ୟମରେ (୯୧)୯୪୩୮୧୬୧୧୧୧ ମୋବାଇଲ୍ ନମ୍ବରକୁ ମଧ୍ୟ ପଠାଇ ପାରିବେ ।
ସୂଚନା ଯୋଗ୍ୟ ଯେ ଗତବର୍ଷ ୨୦୦୦ଊର୍ଦ୍ଧ୍ବ ମେସେଜ ଆସିଥିଲା । ଫନି ମହାବାତ୍ୟାର ପ୍ରଭାବ ମଧ୍ୟ ରାଜସ୍ଵ ଉପରେ ପଡିପାରେ ବୋଲି ଅନୁମାନ କରିଛନ୍ତି ଅର୍ଥମନ୍ତ୍ରୀ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ