ଭୁବନେଶ୍ବର: କୋରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କୋରୋନାକୁ ନେଇ ସାଂଘାତିକ ତଥ୍ୟ ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । କୋରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ ଏବଂ ବିଭ୍ରାନ୍ତିକର । ରାଜ୍ୟରେ ଥିବା ମଶାଣି ଗୁଡିକର ହିସାବ ଖାତା ତାହା ପ୍ରମାଣିତ କରିଛି । ତାହା ଯଦି ସତ୍ୟ ହୋଇଥାଏ, ତେବେ ସାଙ୍ଘାତିକ ବୋଲି କହିଛନ୍ତି ପିସିସି ସଭାପତି ।
ଲିଭୁନି କୋରୋନା ଜୁଇ
ଏହାଏକ ଧର୍ତ୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଚଳିତ ମାସରେ ପ୍ରତିଦିନ ହାରାହାରି 20 ଜଣ ଲେଖାଏଁ କୋଭିଡରେ ରୋଗୀ ମୃତ୍ୟୁବରଣ କରୁଥିବା ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର। ଗତ 14 ତାରିଖରେ ସର୍ବାଧିକ 22 ଜଣ କୋରୋନାରେ ପ୍ରାଣ ହରାଇଥିଲେ । କିନ୍ତୁ ସତ୍ୟନଗର ମଶାଣିରେ ଏହି ମେ ମାସରେ ପ୍ରତିଦିନ 45 ଶବ ସତ୍କାର ହୋଇଥିବା ସୂଚନା ମିଳିଛି । ସେଠାକାର କର୍ମଚାରୀ କହିବା ଅନୁସାରେ ହାରାହାରି 30 ଜଣଙ୍କର କୋଭିଡ ନିୟମ ମୁତାବକ ଶବଦାହ ହୋଇଛି । ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା 650 ଜଣଙ୍କ ମୃତଦେହର ଏଠାରେ ଅନ୍ତ୍ୟେଷ୍ଟି କ୍ରିୟା ହୋଇଛି ।
କୋରୋନାର ତ୍ବିତୀୟ ଲହର ଆରମ୍ଭରୁ ଓଡ଼ିଶାରେ ମୋଟ 395 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି । ଅର୍ଥାତ ଦିନକୁ ହାରାହାରି କୋରୋନାରେ 6 ଜଣଙ୍କ ପ୍ରାଣହାନି ହୋଇଛି । କିନ୍ତୁ ରାଜ୍ୟର ବିଭିନ୍ନ ମଶାଣି ଗୁଡିକରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସରକାରୀ ପରିସଂଖ୍ୟାନଠାରୁ ବହୁତ ଅଧିକ ବୋଲି ଜଣାପଡିଛି l ଏହି ତଥ୍ୟ ଅନୁଯାୟୀ ମେ 1 ରୁ 14 ତାରିଖ ମଧ୍ୟରେ ରାଜ୍ୟରେ ବିଭିନ୍ନ ସହରର ମଶାଣି ଗୁଡିକରେ 2000 ଶବସତ୍କାର ହୋଇଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ସତ୍ୟନଗର, ଖାନ ନଗର, ସତୀଚଉରା ଇତ୍ୟାଦି ମଶାଣି ଗୁଡିକରେ ନିର୍ବାପିତ ହେଉନଥିବା ଜୁଇ ।
ସରକାରଙ୍କ ତଥ୍ୟ ଭୁଲ ?
ସେହିପରି ସୂଚନା ଅଧିକାର ଆଇନ ଜରିଆରେ ସତ୍ୟନଗର ଶଶ୍ମାନର ତଥ୍ୟ ସତ ବୋଲି ଜଣା ପଡ଼ିଛି । ଗତବର୍ଷ ସେପ୍ଟେମ୍ବରରେ କେବଳ ଦାହ ହୋଇଥିଲା ୧୨୮୮ ମୃତଦେହ । କିନ୍ତୁ କୋରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ପ୍ରାଣ ହରାଇଥିଲେ ୩୫୬ । ଏହା ପଛରେ ରହସ୍ୟ କଣ ରହିଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଏବେ ଭୁବନେଶ୍ବର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହର ମାନଙ୍କରେ ଥିବା ମଶାଣି ଗୁଡିକର ସମ୍ପ୍ରସାରଣ ଓ ନୂଆ ମସାଣି ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବର୍ତ୍ତମାନ ସରକାରୀ ହିସାବ ଅନୁଯାୟୀ ଯଦି ଦିନକୁ ରାଜ୍ୟରେ ହାରାହାରି 20 ଜଣ ମୃତ୍ୟୁମୁଖରେ ପଡ଼ୁଛନ୍ତି, ତେବେ ଏହି ନୂଆ ମସାଣି ତିଆରି ପାଇଁ ସରକାର ତତ୍ପର କାହିଁକି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
ଗୁଜରାଟ ମଡେଲରେ ଓଡିଶା !
ଗୁଜୁରାଟରେ ସରକାର କିଭଳି କରୋନା ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି ତାହା ବିଭିନ୍ନ ଗଣମାଧ୍ୟମ ପର୍ଦାଫାଶ କରିଛନ୍ତି । ଜାନୁଆରୀ 1 ରୁ ମେ 10 ଭିତରେ ରାଜ୍ୟରେ 1 ଲକ୍ଷ 23 ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ସରକାରୀ ହିସାବ ଥିଲା 4218 । କୋରୋନା ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ସରକାର ଗୁଜୁରାଟ ମଡେଲକୁ ଅନୁକରଣ କରୁଛନ୍ତି କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ