ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟ ଗ୍ରହଣକୁ ନେଇ ନିର୍ବାଚନ କମିଶନରଙ୍କ ପ୍ରତିକ୍ରିୟା । ତୃତୀୟ ନିର୍ବାଚନରେ ପାଖାପାଖି ୭୧ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଏଥିସହ କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିବା କହିଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କମିଶନର ।
ଏହା ମଧ୍ୟ ପଢନ୍ତୁ:- ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା, ଭୋଟିିଂ ବନ୍ଦ
ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ୍ ଡିଜିପି ଏବଂ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ମାଲକାନଗିରି ଜିଲ୍ଲାର ମାଥିଲି ଓ ପଡିଆ ବ୍ଲକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଓ ପ୍ରବଣ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ।
ତେବେ ତୃତୀୟ ପର୍ଯ୍ୟାୟ ମତଦାନରେ 29ଟି ଜିଲ୍ଲାର 63 ବ୍ଲକରେ ମତଦାନ ହୋଇଛି । ଏଥି ମଧ୍ୟରୁ 171 ଜିଲ୍ଲା ପରିଷଦ ଜୋନ ରହି ଥିବାବେଳେ 1382 ଗ୍ରାମ ପଞ୍ଚାୟତ ରହିଛି । ମୋଟ 18495 ବୁଥରେ 56 ଲକ୍ଷ 53 ହଜାରରୁ ଊର୍ଦ୍ଧ୍ବ ଭୋଟର ମତଦାନ କରିଛନ୍ତି । ସେହିପରି 2773 ସମ୍ବେଦନଶୀଳ ବୁଥ୍ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ