ଭୁବନେଶ୍ବର: ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲଙ୍କ ରାୟକୁ ଗେଜେଟରେ ପ୍ରକାଶନ କରିବା ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡିଶାକୁ ସହମତି ପାଇଁ ଅନୁରୋଧ କରାଯାଇଛି । ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ କରିଦିଆଯାଇଛି । ରାଜ୍ୟ ପକ୍ଷରୁ ସ୍ପଷ୍ଟ ଭାବେ ମନା କରାଯାଇଛି ବୋଲି ଓଡିଶା ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ବିଭାଗ ତରଫରୁ ଏ ସଂକ୍ରାନ୍ତୀୟ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ବଂଶଧାରା ଜଳ ବିବାଦ ଟ୍ରିବୁନାଲ 2017 ସେପ୍ଟେମ୍ବର 13ରେ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇଥିଲେ । ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଟ୍ରିବୁନାଲ ଅନୁମତି ପ୍ରଦାନ କରିଥିଲେ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ଆନ୍ତଃ ରାଜ୍ୟ ବୁଝାମଣାର ଗୁରୁତ୍ବପୂର୍ଣ ସର୍ତ୍ତଗୁଡିକୁ ଟ୍ରିବୁନାଲଙ୍କ ଦ୍ଵାରା ଅଣଦେଖା କରାଯାଇଥିବାରୁ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଲିଭ୍ ପିଟିସନ (Special Leave Petition-SLP) 2017 ଡିସେମ୍ବର 12 ତାରିଖରେ 8030/2018 ମାମଲା ଦାଏର କରାଯାଇଥିଲା । 2017 ସେପ୍ଟେମ୍ବର 13ରେ ପ୍ରଦତ୍ତ ଟ୍ରିବୁନାଲଙ୍କ ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଓଡିଶା ପକ୍ଷରୁ ଆବେଦନ କରାଯାଇଛି । ତେବେ ଗତମାସ 21ତାରିଖରେ ଟ୍ରିବୁନାଲ ତାଙ୍କର 2017 ସେପ୍ଟେମ୍ବର 13ରେ ଦେଇଥିବା ଚୂଡ଼ାନ୍ତ ରାୟକୁ କାଏମ ରଖିଛନ୍ତି । ଯାହା ସୁପ୍ରିମକୋର୍ଟଙ୍କ ଦ୍ଵାରା ସ୍ଵତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ଉପରେ ନିର୍ଭରଶୀଳ ।
ଏହା ସହ ଓଡିଶା ପରିସୀମା ମଧ୍ୟରେ ମିଳିତ ସର୍ବେକ୍ଷଣ ପାଇଁ ଟ୍ରିବୁନାଲଙ୍କ 2019 ମାର୍ଚ୍ଚର ନିର୍ଦ୍ଦେଶ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ନିକଟରେ ଓଡିଶା ପକ୍ଷରୁ ସ୍ଵତନ୍ତ୍ର ଲିଭ ପିଟିସନ ସଂଖ୍ୟା 27930/2019 ଦ୍ଵିତୀୟ ମାମଲା ଦାୟର କରାଯାଇଛି । ଯାହାକି ସୁପ୍ରିମକୋର୍ଟଙ୍କ ନିକଟରେ ଏବେ ମଧ୍ୟ ବିଚାରାଧୀନ ଅଛି । ଓଡିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟମ ସୁପ୍ରିମକୋର୍ଟରେ ମୋକଦ୍ଦମା ପରିଚାଳନା କରୁଛନ୍ତି ।
ସ୍ଵତନ୍ତ୍ର ଲିଭ ପିଟିସନ ସଂଖ୍ୟା 8030/2018 ଓ 27930/2019 ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଦୃଷ୍ଟିରୁ ଟ୍ରିବୁନାଲଙ୍କ 2017 ସେପ୍ଟେମ୍ବର 13 ଓ ଗତ ମାସ 21ରେ ପ୍ରଦତ୍ତ ରାୟକୁ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ 1956ର ଧାରା 6(1) ଅନୁସାରେ ସରକାରୀ ରାଜପତ୍ର (ଗେଜେଟ)ରେ ପ୍ରକାଶିତ କରାଯାଇ ପାରିବ ନାହିଁ । ଯାହା ଟ୍ରିବୁନାଲଙ୍କ ରାୟକୁ କାର୍ଯ୍ୟକ୍ଷମ କରିବାପାଇଁ ଅତ୍ୟାବଶ୍ୟକ ।
ସୁପ୍ରିମକୋର୍ଟଙ୍କ ଦ୍ଵାରା ସ୍ଵତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ପ୍ରଦାନ ନ ହେବାଯାଏଁ ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ଵାରା 2017 ସେପ୍ଟେମ୍ବର 13ରେ ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶନ ପାଇଁ ଓଡିଶାକୁ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସହମତି ପ୍ରଦାନ ନିମନ୍ତେ ଅନୁରୋଧକୁ ଓଡିଶା ପକ୍ଷରୁ ସ୍ପଷ୍ଟ ଭାବେ ମନା କରାଯାଇଥିବା ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ