ଭୁବନେଶ୍ବର: ମହାରାଷ୍ଟ୍ରର ମୁମ୍ବାଇରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ କଡା ଭାଷାରେ ଭର୍ସନା କଲେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ । ଇସ୍କନର ଏହି ବେଆଇନ ଦୁଃସାହସିକ ଅଦିନିଆ ରଥଯାତ୍ରା ଆୟୋଜନକୁ ଖାଲି ରାଜନୈତିକ ଦଳ ନୁହେଁ ସବୁ ମହଲରୁ ତୀବ୍ର ବିରୋଧ କରାଯାଉଛି । ଯାହକୁ ନେଇ ଏବେ ଇସ୍କନ ବିରୋଧରେ ସବୁଠି କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଏହି ପ୍ରସଙ୍ଗରେ ଯୋରଦାର ବର୍ଷିଛନ୍ତି ଇସ୍କନ ବିରୋଧରେ । ସୁର କହିଛନ୍ତି ଶ୍ରୀ ଜଗନ୍ନାଥଙ୍କୁ ନେଇ କାହିଁକି ଏପରି କରୁଛି ଇସ୍କନ । ଏହି ବେଆଇନ କାର୍ଯ୍ୟକ୍ରମ ପାଇଁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏ ପ୍ରସଙ୍ଗକୁ ଆସନ୍ତା ବିଧାନସଭା ଅଧିବେଶନରେ ମଧ୍ୟ ଉଠାଇବାକୁ ସୁର ଚେତାବନି ଦେଇଛନ୍ତି । ସେହିପରି ବିଜେପି ଗଣମାଧ୍ୟମ ମୁଖ୍ୟ ଗୋଳକ ମହାପାତ୍ର ମଧ୍ୟ ଇସ୍କନ ବିରୋଧରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାସହ ଗୋଳକ କହିଛନ୍ତି ଏହି ଘଟଣା ଯେଉଁଠି ହୋଇଛି ଯେଉଁମାନେ କରିଛନ୍ତି ତୁରନ୍ତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ମତ ରଖିଛି । ମନ୍ତ୍ରୀ ସମୀର ଦାସ କହିଛନ୍ତି ଜଗନ୍ନାଥଙ୍କ ରଥଯାତ୍ରା ଅଦିନରେ ହେବାକଥା ନୁହେଁ । ମହାପ୍ରଭୁଙ୍କ ରଥଯାତ୍ରା ବିଧି ଅନୁସାରେ ତାଙ୍କର ତିଥୀ ଅନୁଯାୟୀ ହେବାକଥା । ଇସ୍କନ ଏହା କରି ଠିକ କରିନାହିଁ । ଏସଂପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୂର୍ବରୁ ସ୍ପଷ୍ଟ ମତ ରଖିଛି । ଏହାକୁ ନେଇ ମନ୍ଦିର ପ୍ରଶାସନ ପଦକ୍ଷେପ ଉଚିଚ ପଦକ୍ଷେପ ନେବେ ।
ଏହାରି ଭିତରେ ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ କରି ଶୁକ୍ରବାର ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା ବାରମ୍ବାର ଇସ୍କନ ଉଲଘଂନ କରୁଥିବାରୁ କାର୍ଯ୍ୟନୁଷ୍ଠାନ ଦାବି କରିଛି ସଂଗଠନ। ଏଥି ସହିତ ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଏକ ନୀୟମ ପ୍ରଣୟନ କରିବା ସହ ଅଦିନିଆ ରଥଯାତ୍ରା କରୁଥିବା ସଂସ୍ଥାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ସଚେତନ ନାଗରିକ ମଞ୍ଚ ଦାବି କରିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ