ଭୁବନେଶ୍ବର: ଓଡିଶା କୋଲ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ରାଶିର ଚେକ ଗ୍ରହଣ କରିଛନ୍ତି ।
ତେବେ ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓସିପିଏଲର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଓସିପିଏଲର ସିଇଓ ସାରିପୁତ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସର ଉପସ୍ଥିତ ଥିଲେ । ଓସିପିଏଲ ବହୁତ କମ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି ।
ଅନ୍ୟପଟେ ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ ଏବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟଠାରୁ ଅଧିକ କୋଇଲା ଉତ୍ପାଦନ କରିଛି । ଏହି କୋଇଲା ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିଛି । ଓସିପିଏଲ ଦ୍ବାରା ସୁନ୍ଦରଗଡ ଜିଲ୍ଲାର ମହିଳା ଏବଂ ଯୁବଗୋଷ୍ଠୀଙ୍କର ସଶକ୍ତିକରଣ ପାଇଁ ବିଭିନ୍ନ ପନ୍ଥା ମାଧ୍ୟମରେ ନିରନ୍ତର ଉଦ୍ୟମ ଜାରି ରଖିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ