ଭୁବନେଶ୍ବର: ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ।ଏନେଇ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତା ପ୍ରାପ୍ତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଙ୍ଗଲ ଓ ପରିବେଶ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନାୟନ ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ଲୋକସେବା ଭବନରୁ ଭିସି ଜରିଆରେ ଅନୁଷ୍ଠିତ ସମୀକ୍ଷାରେ ସୂଚନା ମିଳିଛି ଯେ ଓଡ଼ିଶା ଜଙ୍ଗଲ ବିକାଶ ସମିତି ମାଧ୍ୟମରେ ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ତିନୋଟି ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ସେଗୁଡ଼ିକ ହେଲା ରାଜ୍ୟ ସରକାରଙ୍କ ଆମ ଜଙ୍ଗଲ ଯୋଜନା, ଜାଇକା ଏବଂ ରାଜ୍ୟ ସରକାରଙ୍କ ମିଳିତ ପାଣ୍ଠିରେ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ଏବଂ ଓମ୍ବାଡ୍ସି ପାଣ୍ଠିରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବ୍ୟାପକ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି କାର୍ଯ୍ୟକ୍ରମ ସହିତ ବିଭିନ୍ନ ଜଙ୍ଗଲ ଖଣ୍ଡରେ ଚାଲିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ୨୦୨୨-୨୩ ବର୍ଷ ନିମନ୍ତେ ଉପରୋକ୍ତ ତିନୋଟି ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଛି । ଆମ ଜଙ୍ଗଲ ଯୋଜନା ପାଇଁ ପ୍ରାୟ ୫୮୨୪ ଲକ୍ଷ ଏବଂ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ପାଇଁ ୧୩୨୦୧ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଛନ୍ତି ।
ଏହାଛଡା ଜୀବିକା ବୃଦ୍ଧି ନିମନ୍ତେ ଓମ୍ବାଡ଼୍ସିରୁ ବରାଦ ହୋଇଥିବା ୪୩୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ମଧ୍ୟ ଅନୁମୋଦିତ ହୋଇଛି । ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ୧୦ ଜିଲ୍ଲା ଅନ୍ତର୍ଗତ ୧୨ଟି ବନଖଣ୍ଡ ଏବଂ ୨ ଟି ବନ୍ୟଜନ୍ତୁ ଜଙ୍ଗଲ ଡ଼ିଭିଜନରେ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ୧୨୧୧ ବନ ସୁରକ୍ଷା ସମିତି କ୍ଷେତ୍ରସ୍ତରରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବୃଦ୍ଧି ଆଦି କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ସେପଟେ ପ୍ରତି ବନ ସୁରକ୍ଷା ସମିତି ନିଜ ନିଜ ଅଞ୍ଚଳ ଜଙ୍ଗଲ ସୁରକ୍ଷା ଓ ଜୀବିକା ବୃଦ୍ଧି ନିମନ୍ତେ ୧୦ ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି ।
ସେମାନଙ୍କ ଦ୍ୱାରା ପ୍ରାୟ ୫୬୦୩୧ ହେକ୍ଟର ଜଙ୍ଗଲ ଜମିର ବିକାଶ କରାଯାଇଛି । ୨୨୫୦ ହେକ୍ଟର ଜଙ୍ଗଲରେ ମୁର୍ତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ ନିମନ୍ତେ ଆଡ଼ିବନ୍ଧ, ଜଙ୍ଗଲ ପୋଖରୀ ଆଦି ନିର୍ମାଣ କରାଯାଇଛି । ୧୭୧୦ କି.ମି ବ୍ୟାପି ବନାଗ୍ନି ନିୟନ୍ତ୍ରଣ ଲାଇନ୍ ଏବଂ ୧୯୦୦ କି.ମି.ର ଜଙ୍ଗଲ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଇଛି । ଏହା ଛଡା ଏହି ସମିତିମାନଙ୍କ ମାଧ୍ୟମରେ ୬ ଟି ହାଇଟେକ୍ ନର୍ସରୀ ପ୍ରତିଷ୍ଠା ଓ ପରିଚାଳନା କରାଯାଉଛି । ଏସବୁରେ ପ୍ରାୟ ୪.୪୦ ଲକ୍ଷ ଉଚ୍ଚମାନର ଚାରା ଉତ୍ପାଦନ ବ୍ୟବସ୍ଥା ହୋଇଛି । ୭୭୭ ବନ ସୁରକ୍ଷା ସମିତିର ସଦସ୍ୟମାନେ ନିଜ ଯାଗାରେ ପ୍ରାୟ ୪୧୧୮ ହେକ୍ଟର ଜଙ୍ଗଲ ଫାର୍ମ କରି ରୋଜଗାର ବଢ଼ାଇବାରେ ସମର୍ଥ ହୋଇଛନ୍ତି ।
ଇତି ମଧ୍ୟରେ କରଞ୍ଜିଆ, ବାରିପଦା, ରାଇରଙ୍ଗପୁର ଆଦି ଜଙ୍ଗଲ ଡ଼ିଭିଜନରେ ଶାଳ-ପତ୍ର କ୍ଲଷ୍ଟର ବିକାଶ କରାଯିବା ସହ ୬୬ଟି ସମିତିରୁ ପ୍ରାୟ ୩୦୦ ଲୋକଙ୍କୁ ଶାଳ-ପତ୍ର ସିଲେଇ, କପ ପ୍ଲେଟ ତିଆରି ଆଦିରେ ତାଲିମ ଦିଆଯାଇଛି । ଏହାଛଡା ଆଠମଲ୍ଲିକରେ ମହୁ କ୍ଲଷ୍ଟର ଏବଂ ବୌଦ୍ଧରେ ବହୁମୁଖୀ ଉତ୍ପାଦନ କ୍ଲଷ୍ଟରକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଭଲ ଉତ୍ପାଦନ ସମ୍ଭାବନା ଥିବା ବିଭିନ୍ନ ଡ଼ିଭିଜନରେ ବହୁ-ମୁଖୀ ଉତ୍ପାଦ କ୍ଲଷ୍ଟର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ମାସ ଶେଷସୁଦ୍ଧା ଏସବୁ କାମରେ ପ୍ରାୟ ୪୬୦୭୨.୭୮ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
ସେହିପରି ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ୨୨ଟି ଜଙ୍ଗଲ ଡ଼ିଭିଜନରେ ୪୬୦୧ଟି ସୁରକ୍ଷା ସମିତି ଏବଂ ୧୪୨୬୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ, ଛତୁଚାଷ, ଜୈବ-ସାର ପ୍ରସ୍ତୁତି, ଉଦ୍ୟାନ ଚାଷ, ପନିପରିବା ଚାଷ ଆଦି ବିଷୟରେ ତାଲିମ ଦିଆଯାଇଛି । ଏହି ଯୋଜନାରେ ଚଳିତ ବର୍ଷ ଜୁଲାଇମାସ ଶେଷସୁଦ୍ଧା ପ୍ରାୟ ୫୪୫୬୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଓମ୍ବାଡ଼୍ସି ପାଣ୍ଠିରୁ ୨୫ ଟି ଫରେଷ୍ଟ ରେଞ୍ଜରେ ୩୨୩୭ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୯୦୦ଟି ବନ ସୁରକ୍ଷା ସମିତି ଗଠନ କରାଯାଇ ସଦସ୍ୟମାନଙ୍କୁ ରୋଜଗାର ଭିତ୍ତିକ ତାଲିମ ଦେବାସହ ପ୍ରତି ବନସୁରକ୍ଷା ସମିତିର ଉତ୍ପାଦ ପ୍ରକାର ଓ ପରିମାଣ ଆକଳନ କରାଯାଇଛି ।
ସମିତିର ସ୍ଥାୟୀ ପୋଷଣୀୟ ଜୀବିକା ନିର୍ବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବିଦତ୍ତ ବିଶ୍ୱାଳ, ଗ୍ରାମ ଉନ୍ନୟନ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପ୍ରକଳ୍ପ ନିର୍ଦ୍ଦେଶକ ମୀତା ବିଶ୍ୱାଳଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।