ଭୁବନେଶ୍ବର: ଆସନ୍ତା 15 ତାରିଖରେ ବାମପନ୍ଥୀଦଳ ତରଫରୁ 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି । ଏହାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବେଲି ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କୋରୋନା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ଯୋଗୁଁ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହି ଜନମାରଣ ନୀତିକୁ ବିରୋଧ କରି ସିପିଆଇ, ସିପିଆଇଏମ, ସିପିଆଇଏମ୍ଏଲ ଲିବରେସନ, ଫରୱାର୍ଡ଼ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତା ଜୁଲାଇ ୧୫ ତାରିଖ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ପର୍ଯ୍ୟନ୍ତ ୬ଘଣ୍ଟିଆ 'ଓଡ଼ିଶା ବନ୍ଦ'ର ଡାକରା ଦେଇଛି ।
ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଓଡିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହାସହ କୌଣସି ହରତାଳ ନକରି ଗୋଟେ ଦିନ ତେଲ କିଣିବା ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ନିରଞ୍ଜନ । ଏଭଳି କରିଲେ ହିଁ ସାଧାରଣ ଲୋକଟିର ଦୁଃଖ ସରକାର ବୁଝିପାରିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ