ଭୁବନେଶ୍ବର: ପୁଣି ଗୃହରେ ନାଥୁରାମ ଗଡ଼ସେ ତାତି। କଂଗ୍ରେସ ବିଜେପି ମୁହାଁମୁହିଁ । ଗତକାଲି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ଆଧାର କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, 'କଂଗ୍ରେସ ବନ୍ଦେ ମାତରମ' କି 'ଭାରତ ମାତା କି ଜୟ' କହିବାକୁ କେବେ କୁଣ୍ଠାବୋଧ କରିନାହିଁ । କିନ୍ତୁ କାହାକୁ ଏହା କହିବାକୁ ବାଧ୍ୟ କରାଯାଇ ପାରିବନାହିଁ । କିନ୍ତୁ ବିଜେପି ସଦସ୍ୟମାନେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ମୁର୍ଦ୍ଦାବାଦ କହିବେ ନାହିଁ । କାହିଁକି ନା ବିଜେପିର କିଛି ନେତା ନାଥୁରାମ ଗଡ଼ସେଙ୍କୁ ଦେଶପ୍ରେମୀ କହୁଛନ୍ତି । କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି ବୋଲି ନରସିଂହ କହିଛନ୍ତି ।
ନରସିଂହଙ୍କ ଏହି ପ୍ରସଙ୍ଗକୁ ବିରୋଧ କରିଥିଲେ ବିଜେପି ସଦସ୍ୟ । ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରାଯାଉଛି ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି । ବିଜେପି ରାଜି ଅଛି ଗଡ଼ସେ ମୁର୍ଦ୍ଦାବାଦ କହିବାକୁ ବୋଲି ନିଜ ଆସନରେ ବସି ବିଜେପିର କିଛି ବିଧାୟକ କହୁଥିଲେ ।
ହେଲେ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେବା ବେଳେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ଗଡ଼ସେ ମୁର୍ଦ୍ଦାବାଦ ବୋଲି କହିଲେ ନାହିଁ । ସେ କହିଥିଲେ ଯେ, ପ୍ରଣବ ମୁଖାର୍ଜୀଙ୍କ ଭଳି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଙ୍ଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ । ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା । କଂଗ୍ରେସ ନା ନନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ ।
ବିଷ୍ଣୁ ଆହୁରି ମଧ୍ୟ କହିଥିଲେ, ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମରସଜ୍ଜା ଦେଖି ମୁଗ୍ଧ ହୋଇ ଫେରିଥିଲେ । ଦେଶ ବିଭାଜନ ବେଳେ ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ଉପନେତା ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ