ଭୁବନେଶ୍ବର: କଟକଣା ମଧ୍ୟରେ ବସିବ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ଆଜି(ମଙ୍ଗଳବାର) ସର୍ବଦଳୀୟ ବୈଠକ ବସିଛି । ବୈଠକରେ ଚଳିତ ମାସ 25 ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାଇଁ ଶୋକସଭା କରାଯିବା ନେଇ ନିଷ୍ପତ୍ତି ।
ସେହିପରି ଅଧିବେଶନର ପ୍ରଥମ ଦିନ ଅପରାହ୍ନ 4ଟାରେ ଗୃହ ବସିବ । ରାଜ୍ୟପାଳଙ୍କ ଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ମୁଖ୍ୟ ସଚେତକ । 28 ତାରିଖରେ ସରକାରୀ କାର୍ଯ୍ୟ ଦିବସ । 29 ଓ 30 ତାରିଖ ଦୁଇଦିନ ଧରି ଅର୍ଥମନ୍ତ୍ରୀ ଅର୍ଥ ବ୍ୟୟବରାଦ ଆଗତ କରିବେ । ଏହି ଅଧିବେଶନ ମଧ୍ୟରେ 2 ଦିନ କଂଗ୍ରେସ ଓ 3 ଦିନ ବଜେପି ପକ୍ଷରୁ ପ୍ରଶ୍ନ ରଖାଯିବ । ତେବେ ସମ୍ପୂର୍ଣ୍ଣ କୋଭିଡ ନିୟମ ଅନୁସାରେ ଚଳିତ ଅଧିବେଶନ ବସିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ବିଧାୟକମାନଙ୍କ ବସିବା ବ୍ୟବସ୍ଥା ସହ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ।
ଅନ୍ୟପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେପଟେ ସର୍ବଦଳୀୟ ବୈଠକରେ ତିନୋଟି ପ୍ରସ୍ତାବ ରଖିଛି ବିଜେପି । କୋଭିଡ ସ୍ଥିତି ସୁଧୁରୁଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ସେହିପରି ବିଧାନସଭାର ସମସ୍ତ ଆଲୋଚନାକୁ ଲାଇଭ ଟେଲିକାଷ୍ଟ କରଯାଉ ଏବଂ ମୁଲତବୀ ପ୍ରସ୍ତାବ ମୁଖ୍ୟ ବିରୋଧୀ ଦଳକୁ ଅଧିକ ଦିଆଯାଉ ବୋଲି ଦାବି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ