ଭୁବନେଶ୍ବର: ରାଜଧାନୀରେ 2015 ମସିହାରୁ ଆଜି ଯାଏ ଡ୍ରେନ ପାଣିରେ ଭାସି ପ୍ରାଣ ହରାଇଲେଣି ୭ ଜଣ । କିନ୍ତୁ ଏଥିପ୍ରତି ସରକାରଙ୍କ ନିଘା ନାହିଁ। ନଗର ଉନ୍ନୟନ ବିଭାଗରେ ସଚିବ ଭାବେ ଜି.ମାଥିଭାତନନ 6 ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ରାଜଧାନୀରେ ଜନହିତକର କାର୍ଯ୍ୟ ଜାରି ରହିଥିବା ରାଜ୍ୟ ସରକାର କହି ବୁଲୁଥିବାବେଳେ,ଏପରି ଅଘଟଣ କାହିଁକି ଘଟିଲା ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ୟାଶୀର କହିଛନ୍ତି ବିଧାନସଭା ଅଧିବେଶନ ପ୍ରଶ୍ନରେ ଜନହିତକର କାର୍ଯ୍ୟ ଚାଲିଛି ବୋଲି ସରକାର ଉତ୍ତର ରଖୁଥିବାବେଳେ ପ୍ରକୃତ ସ୍ଥିତି ତାର ବିପରୀତ । ଉନ୍ନୟନ ସଚିବ ଜି. ମାଥିଭାତନନ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଅଘଟଣ ପାଇଁ ଦାୟୀ ବୋଲି କହିଛି ଦଳ । ସେହିପରି ଅନନ୍ତ ନାରାୟଣ ଜେନା 10 ବର୍ଷ ଧରି ମେୟର ପଦରେ ଥିବାବେଳେ କଣ କାମ ହୋଇଛି ବୋଲି ଦଳ ପ୍ରଶ୍ନ କରିଛି । ମୃତ ଛାତ୍ରଙ୍କ ପିରବାରକୁ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ଦେବା ପ୍ରସଙ୍ଗରେ ମଧ୍ୟ ସମାଲୋଚନା କରିଛି ଦଳ । ମୃତ ଛାତ୍ରଙ୍କ ଜୀବନର ମୂଲ୍ୟ କଣ ମାତ୍ର ୪ ଲକ୍ଷ ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।
ଏବେ ମଧ୍ୟ BMC ର 300 କି.ମି ଡ୍ରେନ ମୁକୁଳା ପଡିଛି। ପ୍ରାକୃତିକ ନାଳ ନିକଟରେ ସୁରକ୍ଷା କର୍ମୀ ନିୟୋଜିତ ହେବା ଦରକାର । ସେହିପରି ଅଘଟଣ ପାଇଁ ଦାୟୀ ଦୋଷୀକୁ ୩ ଦିନ ଭିତରେ ଦଣ୍ଡ ମିଳିବା ସହ ବିଏମସି କମିଶନର ସଞ୍ଜୟ ସିଂ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ । ନଚେତ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ