ଭୁବନେଶ୍ବର: ଏଣିକି ଲୁଚାଛପା ନୁହେଁ ରାଜଧାନୀରେ ଖୁଲମଖୁଲା ଚାଲିବ ଡ୍ୟାନ୍ସ ବାର୍ । ବାରରେ ନାଚିବେ ବାର୍ଗାର୍ଲ । କାରଣ ରାଜଧାନୀ ଭୁବନେଶ୍ବରର 7ଟି ଡ୍ୟାନ୍ସ ବାର୍କୁ ଏଥିପାଇଁ ମିଳିସାରିଛି ଅନୁମତି । ହେଲେ ସ୍ବତନ୍ତ୍ର ଗାଇଡଲାଇନ ଓ କଟକଣା ସହ ଚାଲିବେ ଏହି ଡ୍ୟାନ୍ସ ବାର୍ର ମାଲିକ ।
![dance bar reopen](https://etvbharatimages.akamaized.net/etvbharat/prod-images/od-bbs-dancebaropen-avb-7203832_23092019183653_2309f_1569244013_51.jpg)
ଭୁବନେଶ୍ବରରେ ଡ୍ୟାନ୍ସ ବାର ଖୋଲିବା ପାଇଁ 11ଟି ଡ୍ୟାନ୍ସ ବାର ମାଲିକ ଆବେଦନ କରିଥିଲେ । ତନ୍ମଧ୍ୟରୁ 7ଟି ବାରକୁ କଟକ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ତେବେ ଅନୁମତି ପାଇଥିବା ଡ୍ୟାନ୍ସ ବାରରେ କିଛି ଗାଇଡଲାଇନ ଜାରି ହୋଇଛି । ଏଣିକି ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇପାରିବେନି ଗ୍ରାହକ । ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍ ମ୍ୟାନେଜରଙ୍କୁ ଦେଇପାରିବେ । ବାରଗାର୍ଲ କୌଣସି ପ୍ରକାରର ଉତ୍ତେଜିତପୂର୍ଣ୍ଣ ପୋଷାକ ପିନ୍ଧି ପାରିବେନାହିଁ କି ଉତ୍ତେଜିତପୂର୍ଣ୍ଣ ଡ୍ୟାନ୍ସ କରିବେନାହିଁ ।
ସେହିପରି ୧୦ ଫୁଟ, ୧୨ ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ 8ଜଣ ଡ୍ୟାନ୍ସ କରିପାରିବେ । ଗୁରୁତ୍ବପୂର୍ଣ୍ଣ ବିଷୟ, ବାର ଚାରିପଟେ 3 ଫୁଟର ବାଡ ରହିବ ଏବଂ ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ 5 ଫୁଟର ଦୂରତା ରହିବ । 21 ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବନାହିଁ । ଆଉ ମହିଳା ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ଲାଗୁ କରିବେ ବାର କର୍ତ୍ତୃପକ୍ଷ । ଏଥିସହ ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ । ଆଉ ବାର ଡ୍ୟାନ୍ସରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍ ରହିବ । ତତ୍ସହିତ ବାରରେ ଫାୟାର ସେଫ୍ଟି ବାଧ୍ୟତାମୂଳକ ରହିବା ସହ କୌଣସି ପରିସ୍ଥିତିରେ ଡ୍ୟାନ୍ସ ବାରରେ ସେକ୍ସ ରାକେଟ ଚାଲିବ ନାହିଁ । ଯଦି ସେମିତି କିଛି କାର୍ଯ୍ୟକଳାପର ସୂଚନା ମିଳେ ତେବେ 25ହଜାର ପର୍ଯ୍ୟନ୍ତ ଜୋରିମାନା ସହ ବାରର ଲାଇସେନ୍ସ ରଦ୍ଦ ହେବାର କଟକଣା ଲଗାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ