ଭୁବନେଶ୍ୱର: ସରକାରକା ମାଲ ଦରିଆମେ ଡାଲ । ଉଦ୍ୟାନ କୃଷି ବିଭାଗରେ ଏହି ନ୍ୟାୟରେ ଏବେ ବିଭାଗୀୟ ଅଧିକାରୀମାନେ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ନେଇଥିବା ଅର୍ଥର ହିସାବ ଦେଉନାହାଁନ୍ତି । ତିନି ବର୍ଷ ଭିତରେ ଏବାବଦରେ ୧୬ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲା । ବିଭାଗ ପକ୍ଷରୁ ଥରେ ହିସାବ ମଗାଯାଇଥିଲା । ଏବେ ଆଉ ଥରେ ରିମାଇଣ୍ଡର ଦିଆଯାଇ ସପ୍ତାହକ ମଧ୍ୟରେ ରିପୋର୍ଟ ପଠାଇବାକୁ ତାଗିଦା କରାଯାଇଛି ।
ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ୧୬ଟି ଜିଲ୍ଲାରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୬ କୋଟି ୪୪ ଲକ୍ଷ ୭୧ ହଜାର ୮୨୪ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ଏହେ ଏହି ଫାର୍ମ ପ୍ରତିଷ୍ଠା ହୋଇଛି କି ନାହିଁ ଏବଂ କେତେ ଟଙ୍କା ଖର୍ଚ୍ଚ ହେଲା ତାର ହିସାବ ଦେଉନାହାଁନ୍ତି କୃଷି ଉପନିର୍ଦ୍ଦେଶକମାନେ । ଢେଙ୍କାନାଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ଗଂଜାମ ଜିଲ୍ଲାକୁ ଏହି ସହାୟତା ଦିଆଯାଇଥିଲା । ଫଳରେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳ ଏହି ୧୬ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ଖର୍ଚ୍ଚ ହିସାବ ମଗାଯାଇଥିଲା । କିନ୍ତୁ ହିସାବ ନମିଳିବାରୁ ଏବେ ପୁଣି ଥରେ ଚିଠି ଲେଖି ଫାର୍ମ ପ୍ରତିଷ୍ଠା ନେଇ ଅଗ୍ରଗତି ଓ ଖର୍ଚ୍ଚର ରିପୋର୍ଟ ମଗାଯାଇଛି ।
ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ଢେଙ୍କାନାଳକୁ ୧ କୋଟି ୪୦ ଲକ୍ଷ ୫୪ ହଜାର ୧୯୦ ଟଙ୍କା ମିଳିଥିବା ବେଳେ ସୋନପୁରକୁ ୧ କୋଟି ୧୫ ଲକ୍ଷ, ୨୮ ହଜାର, ବଲାଙ୍ଗୀରକୁ ୮୦ ଲକ୍ଷ ୨୨ ହଜାର ୬୨୦ ଟଙ୍କା, ସମ୍ବଲପୁରକୁ ୭୬ ଲକ୍ଷ ୩ ହଜାର ୨୮୧ ଟଙ୍କା, ବରଗଡକୁ ୮୪ ଲକ୍ଷ ୪୦ ହଜାର ୩୬୦ ଟଙ୍କା, ସନ୍ଦରଗଡକୁ ୧ କୋଟି ୬୫ ହଜାର ୯୯୦ ଟଙ୍କା, ଅନଗୁଳକୁ ୬୯ ଲକ୍ଷ ୮୬ ହଜାର ୧୬୦ ଟଙ୍କା, କେନ୍ଦୁଝରକୁ ୧ କୋଟି ୬୬ ଲକ୍ଷ ୭୧ ହଜାର ୭୪୦ ଟଙ୍କା, ପୁରୀକୁ ୭୬ ଲକ୍ଷ ୭୯ ହଜାର ଟଙ୍କା, ଖୋର୍ଦ୍ଧାକୁ ୧୯ ଲକ୍ଷ ୯୦ ହଜାର, ମୟୁରଭଂଜକୁ ୧ କୋଟି ୬୦ ଲକ୍ଷ ୬୯ ହଜାର ୪୭୦ ଟଙ୍କା, ଭଦ୍ରକକୁ ୧ କୋଟି ୪୬ ଲକ୍ଷ ୪୧ ହଜାର ୧୦୦ ଟଙ୍କା, ବାଲେଶ୍ୱରକୁ ୬୨ ଲକ୍ଷ ୯୪ ହଜାର ଟଙ୍କା, କୋରାପୁଟକୁ ୮୩ ଲକ୍ଷ ୨୫ ହଜାର ଟଙ୍କା, ନବରଙ୍ଗପୁରକୁ ୮୪ ଲକ୍ଷ ୯୪ ହଜାର ୭୨୩ ଟଙ୍କା, ନୂଆପଡାକୁ ୮୧ ଲକ୍ଷ ୭ ହଜାର ୫୯୦ ଟଙ୍କା ଓ ଗଂଜାମକୁ ୯୪ ଲକ୍ଷ ୯୮ ହଜାର ୬୦୦ ଟଙ୍କା ପ୍ରଦାନ କରାଯାଇଥିଲ।।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ