ଭୁବନେଶ୍ବର: ଓଡ଼ିଶା ବିନିଯୋଗ ଅଧିନିୟମ(ନିରସନ) ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି । ରାଜ୍ୟ ବିଧାନସଭରେ ବିଭିନ୍ନ ଆଇନ ପ୍ରଣୟନ କରାଯାଇ ଆବଶ୍ୟକତା ଅନୁସାରେ ସେଗୁଡିକର ଭିନ୍ନ ଭିନ୍ନ ସଂଶୋଧନ କରାଯାଇଛି । ସମୟ ଅତିବାହିତ ହେବା ସଙ୍ଗେସଙ୍ଗେ ସେଗୁଡିକ ମଧ୍ୟରୁ ଅନେକ ଆଇନ୍ ଅକାମୀ, ଅପ୍ରଚଳିତ ବା ଅଦରକାରୀ ହୋଇପଡିଛି । ଉକ୍ତ ବିଧାନ ଗୁଡ଼ିକ କାନୁନ୍ ପୁସ୍ତକରେ ଆଉ ରହିବା ଆନାବଶ୍ୟକ । ନିରସନ ଅଧିନିୟମର ମୁଖ୍ୟ ଲକ୍ଷ୍ୟ ହେଉଛି କାନୁନ୍ ପୁସ୍ତକର ଆକାରକୁ ହ୍ରାସ କରିବା ।
ସଂଶୋଧନକାରୀ ଅଧିନିୟମ ଦ୍ୱାରା ମୂଳ ଅଧିନିୟମରେ କରାଯାଇଥିବା ସଂଶୋଧନଗୁଡିକ, ସଂଶୋଧନକାରୀ ଅଧିନିୟମକୁ ନିରସନ କରିବା ସତ୍ତ୍ୱେ ବଳବତ୍ତର ହୋଇରହିବ ଏବଂ ସଂଶୋଧନକାରୀ ଅଧିନିୟମକୁ ଏକ ସ୍ୱାଧିନ ଅଧିନିୟମଭାବେ ରଖିବା ଅନାବଶ୍ୟକ ବୋଲି ଆଇନଗତ ଦୃଷ୍ଟାନ୍ତ ରହିଛି । ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ନିରସନ ଅଧିନିୟମ ପ୍ରଣୟନ କରାଯାଇ 1937 ମସିହା ଠାରୁ 1972 ମସିହା ମଧ୍ୟରେ ଥିବା କେତେକ ଅପ୍ରଚଳିତ ବିଧାନଗୁଡିକୁ ନିରସନ କାରାଯାଇଛି ।
1974 ଠାରୁ 2015 ମସିହା ମଧ୍ୟରେ ପ୍ରଣୟନ କରାଯାଇଥିବା 206ଗୋଟି ଅଧିନିୟମକୁ ନିରସନ କରିବା ପାଇଁ ରାଜ୍ୟ ବିଧି ଆୟୋଗ ମଧ୍ୟ ସୁପାରିଶ କରିଛନ୍ତି । ଉକ୍ତ ବିଧାନଗୁଡିକୁ ନିରସନ କରିବାର ବାଞ୍ଛନୀୟତା ଓ ଯଥାର୍ଥତାକୁ ବିଚାର କରି ଓଡ଼ିଶା ନିରସନ ବିଧେୟକ, 2021 ବିଧାନସଭାରେ ଆଗତ କରାଯାଇଥିଲା ଓ ତାହା ପାରିତ ହୋଇଛି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ