ଭୁବନେଶ୍ବର: ଆଉ ଦିନ କେଇଟା ପରେ 2019 ମସିହା ବିଦାୟ ନେବା ସହ 2020 ମସିହା ଆସିବ । ଏହି ଅବସରରେ ଲୋକମାନେ ସେମାନଙ୍କ ବନ୍ଧୁ ପରିଜନ, ସାଙ୍ଗସାଥି ଏବଂ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଫୁଲ, ଫୁଲ ତୋଡା ଆଦିର ସାହାରା ନେଇଥାଆନ୍ତି । ଯେଉଁଥିପାଇଁ ଫୁଲ ବ୍ୟବସାୟୀମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହା ମଧ୍ୟରେ ସେମାନଙ୍କୁ ଗୋଟିଏ ଚିନ୍ତା ଖାଇ ଯାଉଥିବା ସେମାନେ ପ୍ରକାଶ କରିଛନ୍ତି । ଯାହା ପାଇଁ ସେମାନଙ୍କ ବ୍ୟବସାୟ ଘାଟା ହୋଇପାରେ ବୋଲି ସେମାନେ କହିଛନ୍ତି ।
ନୂଆବର୍ଷରେ ବିଭିନ୍ନ ପ୍ରକାର ଫୁଲ ଯେପରିକି ଗୋଲାପ,ଲିଲି,ରାଡ଼ିଏଲ,ଡେଜି,ବେବି,ଆଂଠେଲିୟମ,ଡାଫୋଡିଲସ,ଜେର୍ବେରା ଆଦି ବେଙ୍ଗାଲୁରୁ,ହାଇଦ୍ରାବାଦ,କୋଲକାତା ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଂଗ୍ରହ କରିଥାନ୍ତି । ତେବେ ଏହାକୁ ସୁସଜ୍ଜିତ ତୋଡା ଆଦି କରିବା ପାଇପ ଜରିର ଆବଶ୍ୟକତା ରହିଛି ।
ତେଣୁ ବ୍ୟବସାୟୀମାନେ ଏଥିପାଇଁ ଜରି କିଣିବା ସହିତ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ କିଣାକିଣି କରି ରଖିଛନ୍ତି । ତେବେ ରାଜ୍ୟରେ ପଲିଥିନ ବ୍ୟାନ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ପଲିଥିନ ହଟାଇବାକୁ ବିଭିନ୍ନ ସମୟରେ ରେଡ କରାଯାଉଛି । ଏହି ସମୟରେ ଯଦି ରେଡ କରାଯିବ ତେବେ ସେମାନେ ବହୁ ପରିମାଣରେ କ୍ଷତି ସହିବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ନଚେତ ସେମାନେ ଏହି ସମୟରେ ଭଲ କିଛି ରୋଜଗାର ହେବା ନେଇ ଆଶା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା କେତେକ ବ୍ୟବସାୟୀଙ୍କୁ ଭଲ ଅଗ୍ରୀମ ମିଳିଥିବାବେଳେ ଅନେକ ଅପେକ୍ଷାରେ ଥିବା କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ