ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନୂଆ ଗାଇଡଲାଇନ । ରାଜ୍ୟର ସମସ୍ତ ମେଡିକାଲ୍ କଲେଜ, କ୍ୟାପିଟାଲ ହସ୍ପିଟାଲ୍ ଓ RGH ପାଇଁ ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଗାଇଡଲାଇନରେ ସଂକ୍ରମଣ ରୋକିବା ପାଇଁ କୋଭିଡ କଟକଣା ଅନୁପାଳନ କରିବାକୁ କଡାକଡି ନିର୍ଦ୍ଦେଶ ରହିଛି । ଆବଶ୍ୟକ ନଥିଲେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ନାହିଁ । କେବଳ ଜରୁରୀ ଅସ୍ତ୍ରୋପଚାର ହେବ । ଗୁରୁତର ରୋଗୀଙ୍କ ସହ ଜଣେ ଆଟେଣ୍ଡାଣ୍ଟ ରହିପାରିବେ । ହସ୍ପିଟାଲରେ କୋଭିଡ ଉପଯୁକ୍ତ ଆଚରଣ ବିଧି ଅବଲମ୍ବନ କରାଯିବ ।
ସଂକ୍ରମଣ ନିୟନ୍ତ୍ରଣ ଉପରେ ପଦକ୍ଷେପ ନିଆଯିବ । ହସ୍ପିଟାଲରେ ଅନାବଶ୍ୟକ ଆଡମିଶନକୁ ଏଡାଇବାକୁ ହେବ । ସମସ୍ତ ଇଲେକ୍ଟିଭ୍ ସର୍ଜରୀ ବନ୍ଦ କରାଯିବ । କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ । OPDରେ ଡାକ୍ତରୀ ଅଧିକାରୀ ବାରମ୍ବାର ପରିଦର୍ଶନ କରିପାରିବେ ନାହିଁ । OPD ଏବଂ IPDକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ । ଏହାବ୍ୟତୀତ କୋଭିଡ ପ୍ରୋଟୋକଲ ମଧ୍ୟରେ ମାତୃତ୍ବ ଏବଂ ଶିଶୁ ଯତ୍ନ ସହିତ ସମସ୍ତ ପ୍ରକାର ଜରୁରୀକାଳୀନ ପ୍ରକ୍ରିୟା ମୁକାବିଲା ଲାଗି ସୁବିଧା ରହିବା ଆବଶ୍ୟକ । ଟେଲି ମେଡିସିନ୍ ସେବା ବ୍ୟବହାର କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ । ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ